ୟୁପି ବିଧାନସଭା ନିର୍ବାଚନ : ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନ ଲଢିବ ଏନସିପି । ମେଣ୍ଟରେ ସାମିଲ ହେବାକୁ ଅନ୍ୟ ବିରୋଧୀଙ୍କୁ ଆହ୍ୱାନ

178

କନକ ବ୍ୟୁରୋ : ୟୁପିରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଓ ସମାଜବାଦୀ ପାର୍ଟି (ଏସପି) ମେଣ୍ଟରେ ନିର୍ବାଚନ ଲଢିବେ । ଏନେଇ ମଙ୍ଗଳବାର ଦିନ ଏନସିପି ମହାସଚିବ କେ.କେ ଶର୍ମା ଓ ପ୍ରଦେଶ ଅଧ୍ୟକ୍ଷ ଉମାଶଂକର ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଦିନ କେ.କେ ଶର୍ମା ଲକ୍ଷ୍ନୌ ଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଆଗାମୀ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନସିପି ଓ ସମାଜବାଦୀ ପାର୍ଟି ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହାସହ ବିଜେପିକୁ କ୍ଷମତାରୁ ହଟାଇବାକୁ ସମସ୍ତ ବିରୋଧୀଦଳମାନେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସେ ବିରୋଧୀଦଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

କେ.କେ ଶର୍ମା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି କି ସଂଘ ସର୍ବଦା ଲୋକତନ୍ତ୍ର ପାଇଁ ବିପଦ ହୋଇଛି । ଯୋଗୀ ସରକାର ସମୟରେ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଭୂଷୁଡି ପଡିଛି । ସାଧାରଣ ଲୋକେ ନ୍ୟାୟ ପାଇଁ ଥାନା, କୋର୍ଟକୁ ଯିବାକୁ ଡରୁଛନ୍ତି । ମଠ ମନ୍ଦିର ନାମରେ ରାଜନୀତି କରି ଲୋକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି ।

ଅନ୍ୟପଟେ ୟୁପି ଏନସିପି ଅଧ୍ୟକ୍ଷ ଉମାଶଂକର ଯାଦବ କହିଛନ୍ତି କି, ୟୁପିର ସ୍ଥିତି ଖରାପ ହୋଇଛି । କୃଷକମାନେ ସେମାନଙ୍କ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି । ହେଲେ ସରକାର ସେମାନଙ୍କ ଦାବିକୁ ଶୁଣିବା ପରିବର୍ତ୍ତେ ସେମାନଙ୍କ ଉପରେ ବିଭିନ୍ନ ଅଭିଯୋଗ ଆଣି ଗିରଫ୍ କରିବାରେ ଲାଗିଛନ୍ତି । ଏବେ ଏନସିପି ସେମାନଙ୍କ ସହିତ ଆନ୍ଦୋଳନରେ ଅଛି ଓ ଆଗାମୀ ଦିନରେ କୃଷକମାନଙ୍କର ସମସ୍ୟାକୁ ନେଇ ପ୍ରତି ଗାଁରେ ଅଭିଯାନ ଚଳାଇବ ବୋଲି ଉମାଶଂକର କହିଛନ୍ତି ।