ରାଜସ୍ଥାନ ବିଧାନସଭାରେ ବଜେଟ୍ ଉପସ୍ଥାପନ କଲେ ଗେହଲଟ୍ ସରକାର । ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ ସହ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ।

83

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାର ବୁଧବାର ଦିନ ରାଜସ୍ଥାନ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟତ ଦୁଇଟି ବଡ ଉପହାର ଦେଇଛନ୍ତି ଅଶୋକ ଗେହଲଟ୍ । ପ୍ରଥମରେ ରାଜ୍ୟରେ ବେକାରୀ ମାନଙ୍କୁ ଥଇଥାନ କରିବାକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଘୋଷଣା କରିଛନ୍ତି । ଏହା ସହ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେବା ସଂପର୍କରେ ବି ଘୋଷଣା କରିଛନ୍ତି ଗେହଲଟ୍ ସରକାର ।

ଗେହଲଟ୍ ସରକାର ଘୋଷଣା କରିଥିବା ଏହି ଦୁଇଟି ବଡ ଯୋଜନା ଆସନ୍ତା ବର୍ଷ ଠାରୁ ଲାଗୁ କରାଯିବ । ଏହାସହ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ୨୫ ଟି ଜିଲ୍ଲା ମୁଖ୍ୟାଳୟରେ ନର୍ସିଂ ମହାବିଦ୍ୟାଳୟ ଖୋଲାଯିବା ନେଇ କହିଛନ୍ତି ସରକାର । ଏହାସହ କେତକ ଜିଲ୍ଲାରେ ନୂଆ ହସ୍ପିଟାଲ ସ୍ଥାପନା କରାଯିବା ସହ ପୁରୁଣା ହସ୍ପିଟାଲ ଗୁଡିକୁ ଯୁଦ୍ଧକାଳୀନ ଭିର୍ତ୍ତିରେ ବିକାଶ କରାଯିବା ନେଇ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି ।
ଏହାସହ ପ୍ରତିଯୋଗୀତା ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଯାତ୍ରା ସୁବିଧା, ପ୍ରତି ଜିଲ୍ଲାରେ ଧ୍ୟାନଚାନ୍ଦ ଷ୍ଟାଡିୟମ, ସହ ଡିଜିଟାଲ ପାଠ୍ୟକ୍ରମ ପାଇଁ ୮୨ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସରକାର ବଜେଟରେ ଉଲ୍ଲେଖ କରିଛନ୍ତି । ସେହିଭଳି ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ନେଇ ବଡ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ୧୦୦ ଦିନ ବଦଳରେ ଜବକାର୍ଡଧାରୀଙ୍କୁ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ବଜେଟରେ ଘୋଷଣା କରାଯାଇଛି ।