ଦଙ୍ଗା ରୋକିବ ରୋବ ଗନ୍ । ଦେହରେ ବାଜିବ ଲଙ୍କାରେ ତିଆରି ଗୁଳି… ଆଖି ପିଛୁଳାରେ ଦୌଡିବେ ଦଙ୍ଗାକାରୀ

143

କନକ ବ୍ୟୁରୋ : ଦଙ୍ଗା ଅଟକାଇବ ‘ବୁଲଡୋଜର ରୋବ ଗନ୍’ । ଦେଶରେ ବେଳେ ବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ, ଯାହାକୁ ଅଟକାଇବା ପୋଲିସ ପାଖରେ କାଠିକର ପାଠ ହୋଇଥାଏ । ଦଙ୍ଗାକାରୀମାନେ ମାରପିଟ୍ ସହ ଅନେକ ଭଙ୍ଗାରୁଜା କରି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଦେଇଥାନ୍ତି । ଖାସକରି ନିର୍ବାଚନ ସମୟ ଆସିଲେ ଅଧିକ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ । ଏପରିକି ପୋଲିସ ସହିତ ମୁହାଁମୁହିଁ ହେବାକୁ ଦଙ୍ଗାକାରୀମାନେ ପଛାନ୍ତି ନାହିଁ । ତେଣୁ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ଯୁବକ ତିଆରି କରିଛନ୍ତି ବୁଲଡୋଜର ରୋବ ଗନ୍ ।
ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଏମଆଇଇଟି ଇଂଜିନିୟରିଂ କଲେଜର ବୈଜ୍ଞାନିକ ସ୍ୟାମ ଚୌରସିୟା ଏକ ବୁଲଡୋଜର ରୋବଗନ୍ ତିଆରି କରିଛନ୍ତି । ଏହି ରୋବ ଗନକୁ ତିଆରି କରିବା ପାଇଁ ପ୍ଲାଷ୍ଟିକ୍ ଏବଂ ଷ୍ଟିଲ ସାମଗ୍ରୀର ବ୍ୟବହାର କରାଯାଇଛି । ଏଥିରେ ୯ ଏମଏମର ଏକ ଗନ୍ ଲଗାଯାଇଛି । ଯେଉଁଥିଲେ ଲଙ୍କା ପାଉଡରରେ ତିଆରି ଗୁଳି ଭର୍ତ୍ତି କରାଯିବ । ଦଙ୍ଗା ହେଉଥିବା ସ୍ଥାନରେ ଏହି ଗୁଳିକୁ ଦଙ୍ଗାକାରୀଙ୍କ ଉପରକୁ ସୁଟ୍ କରାଯିବ । ଏହା ବ୍ୟତିତ ଏଥିରେ ୱାଇ-ଫାଇ କ୍ୟାମେରା, ଟ୍ରାନ୍ସମିଟର ରିସିବର, ଏଲଇଡି ବଲ୍ୱ, ୧୨ ବୋଲ୍ଟର ବ୍ୟାଟେରି ଏବଂ ରିମୋଟ ସିଷ୍ଟମ୍ ଆଦି ଲଗାଯାଇଛି । ଏହାକୁ ଲାଇବ୍ କ୍ୟାମ୍ ଜରିଆରେ ପୋଲିସ କଣ୍ଟ୍ରୋଲ ରୁମ୍ ସହିତ ଯୋଡାଯାଇପାରିବ ଏବଂ ରେକଡିଂ ହେଉଥିବା ସମସ୍ତ ଡାଟା ପୋଲିସ ପାଖରେ ରହିପାରିବ । ଏହାକୁ ଥରେ ଚାର୍ଜ କଲେ ଏହି ରୋବ ଗନ୍ ପାଖାପାଖି ଅଧଘଣ୍ଟା ଯାଏଁ କାମ କରିପାରିବ । କିନ୍ତୁ ଆଗକୁ ଏହାର ବ୍ୟାକଅପ୍ ସିଷ୍ଟମ ବଢାଯିବାର ଯୋଜନା ରହିଛି । ଏହି ରୋବ ଗନକୁ ବନାଇବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ୨ମାସ ସମୟ ଲାଗିଛି । ସବୁଠୁ ବଡ କଥା ହେଉଛି ରିମୋଟ୍ କିମ୍ବା ମୋବାଇଲ ମାଧ୍ୟମରେ ଏହାକୁ ଅପରେଟ୍ କରିହେବ ।
ତେବେ ବୈଜ୍ଞାନିକ ସ୍ୟାମ ଚୌରସ୍ୟାଙ୍କ କହିବା ଅନୁସାରେ, ପୋଲିସ ଏହି ରୋବ ଗନକୁ ରିମୋଟ୍ ମାଧ୍ୟମରେ ଦଙ୍ଗାକାରୀଙ୍କ ନିକଟକୁ ପଠାଇପାରିବ । ସେଠାରେ ଘଟୁଥିବା ସମସ୍ତ ପରିସ୍ଥିତିକୁ ରେକଡିଂ କରିପାରିବ । ଏହାସହିତ ଏହି ରୋବ ଗନ ସାହାଯ୍ୟରେ ଅତି ସହଜରେ ୧୦୦ ମିଟର ପର୍ଯ୍ୟନ୍ତ ଲଙ୍କା ଗୁଣ୍ଡରେ ତିଆରି ଗୁଳି ମାଡ କରାଯାଇପାରିବ ଏବଂ ଦଙ୍ଗାକାରୀଙ୍କୁ ରୋକାଯାଇପାରିବ ।