ଶଗଡ ଗାଡି ଉପରେ ବି ଚାଲାଣ କାଟିଲା ପୋଲିସ । ଚାଷୀ କାରଣ ପଚାରିବାରୁ ହଡବଡେଇ ଗଲେ ।

1,034

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାଲାଣ କଟିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି । କେବଳ ଯେ ବାଇକ୍ ଓ କାର ଚାଳକଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଫାଇନ୍ କଟାଯାଉଛି ତାହା ନୁହେଁ ବରଂ ଏକ ଶଗଡ ଗାଡି ଉପରେ ମଧ୍ୟ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାର ସାହସପୁର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଗତ ଶନିବାର ସାହସପୁର ଅଞ୍ଚଳରେ ଶଗଡ ଗାଡି ମାଲିକଙ୍କ ନାଁରେ ଚାଲାଣ କାଟିଥିଲା ପୋଲିସ । ଏସଆଇ ପଙ୍କଜ କୁମାରଙ୍କ ନେତୃତ୍ୱରେ ପୋଲିସ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜମି ପାଖରେ ଏକ ଶଗଡ ଗାଡି ଦେଖିଥିଲେ । ଯାହା ପାଖରେ କାହାକୁ ଦେଖିବାକୁ ମିଳିନଥିଲା । ତେବେ ପଚରାଉଚରା ପରେ ଶଗଡର ମାଲିକ ରିଆଜ ହସନ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ଉକ୍ତ ଶଗଡ ଗାଡିକୁ ରିଆଜଙ୍କ ଘରକୁ ଆଣିବା ସହ ବିନା ବୀମାରେ ଗାଡି ଚଲାଉଥିବାରୁ ୧ ହଜାର ଟଙ୍କାର ଚାଲାଣ କାଟିଥିଲା ପୋଲିସ ।

ତେବେ ନିଜ କ୍ଷେତ ନିକଟରେ ଶଗଡ ଗାଡି ରଖିବା ପାଇଁ କେଉଁ କାରଣରୁ ତାଙ୍କ ନାଁରେ ଚାଲାଣ କଟାଗଲା ସେନେଇ ପ୍ରଶ୍ନ ଉଠାଇଥିଲେ ରିଆଜ । ଏପରିକି ମୋଟରଯାନ ଆଇନରେ ଶଗଡ ଗାଡିକୁ ନେଇ କୌଣସି ଜରିମାନାର ବ୍ୟବସ୍ଥା ନାହିଁ । ଆଉ ଏହି ଖବର ଜାଣିବା ପରେ ନିଜର ତ୍ରୁଟି ସୁଧାରିବା ସହ କଟାଯାଇଥିବା ଚାଲାଣକୁ ରଦ୍ଦ କରିଥିଲା ପୋଲିସ ।