କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି । ଉତରପ୍ରଦେଶରେ ଏହି ଆଇନ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ବିରୋଧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେହିପରି ଆନ୍ଦୋଳକାରୀଙ୍କ ଆକ୍ରମଣରେ ଉତରପ୍ରଦେଶରେ ୨୬୩ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଥିରେ ପ୍ରାୟ ୫୭ ଜଣ ପୋଲିସ କର୍ମୀ ଗୁଳି ମାଡରେ ଆହତ ହୋଇଥିବା ଜଣାପଡ଼ିଛି । ୟୁପି ସରକାର ବିକ୍ଷୋଭକାରୀଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି ।
ଆନ୍ଦୋଳନ ବେଳେ ସରକାରୀ ସମ୍ପତିକୁ କ୍ଷତି ପହଂଚାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ତାଙ୍କ ସମ୍ପତି ଜବତ କରି କ୍ଷତି ଭରଣ କରାଯିବ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିପାଇଁ ସରକାର ୪ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ଦଙ୍ଗାକରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେପଟେ ୟୁପିର ୨୧ଟି ଜିଲ୍ଲାରେ ସୋମବାର ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ କରିବାକୁ ଘୋଷଣା କରାଯାଇଛି । ଏହାସହ ଉତରପ୍ରଦେଶ ପୁଲିସ ବିକ୍ଷୋଭକାରୀଙ୍କ ଠାରୁ ୪୦୫ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।