ଉତ୍ତରପ୍ରଦେଶ ବଦାଉଁରେ ଦାନ ମାଝି ଘଟଣାର ପୁନରାବୃତ୍ତି : ଆମ୍ବୁଲାନ୍ସ ମିଳିଲାନି, ହସ୍ପିଟାଲରୁ ମୃତ ପତ୍ନୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ, ଦୋଷ ଖସାଇଲେ କର୍ତ୍ତୃପକ୍ଷ

59

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବଦାଉଁରେ ଦେଖିବାକୁ ମିଳିଛି ଓଡିଶାର ଦାନ ମାଝି ଭଳି ଘଟଣା । ମୃତ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ବୋହି ଘରକୁ ନେଉଥିବାର ଅଭାବନୀୟ ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତ୍ନୀଙ୍କ ମୃତ୍ୟୁ ହେବା ପରେ ମୃତଦେହ ନେବାକୁ ଆମ୍ବୁଲାନ୍ସ ମିଳି ନଥିଲା । ଆଉ ଅର୍ଥ ଅଭାବରୁ ନିଜ ମୃତ ପତ୍ନୀଙ୍କୁ କାନ୍ଧରେ ବୋହି ନେବାକୁ ବାଧ୍ୟ ହୋଇଥିଲେ ସ୍ୱାମୀ । ପତ୍ନୀଙ୍କୁ କାନ୍ଧରେ ବୋହି ନେବା ବେଳେ ଅନେକ ଲୋକଙ୍କୁ ଗାଡିଟିଏ ପାଇଁ ନେହୁରା ହେଉଥିଲେ ଅସହାୟ ସ୍ୱାମୀ ଜଣକ । ହେଲେ କାହାର ହୃଦୟ ତରଳୁ ନଥିଲା ।

ତେବେ ଏପରି ଦୃଶ୍ୟ ଦେଖି ଜଣେ ସାମ୍ବାଦିକ ହିଁ ବଢାଇଥିଲେ ସହାୟତାର ହାତ । ଆଉ ୨ ଶହ ଟଙ୍କା ଦେବାରୁ ଗୋଟିଏ ଅଟୋ ରିକସାରେ ମୃତଦେହକୁ ଘରକୁ ନେବା ସମ୍ଭବ ହୋଇଥିଲା । ତେବେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି । ହସ୍ପିଟାଲରେ ଆମ୍ବୁଲାନ୍ସ ରହିଛି, କିନ୍ତୁ କଣ ପାଇଁ ଏପରି ଘଟିଛି ସେ ଜାଣି ନଥିବା କହିଛନ୍ତି ସିଏମଓ ।