ଲକ୍ଷ୍ନୌ ରେଲୱେ ଷ୍ଟେସନରେ ଦେଖାଗଲା ମାନବିକତାର ନିଚ୍ଛକ ଉଦାହରଣ : ମାଗଣାରେ ପ୍ରବାସୀ ଶ୍ରମିକଙ୍କ ଜିନିଷ ବୋହିବା ସହ ଖାଦ୍ୟ ଯୋଗାଉଛନ୍ତି ୮୦ ବର୍ଷୀୟ ମୁଜିଉଲ୍ଲାହ । 

224

ଭାରତରେ କରୋନା ଭୁତାଣୁର ସଂକଟ ସାଙ୍ଗକୁ ଲକଡାଉନର ଲହରୀ ଜାରି ରହିଛି । ଏଭଳି ସମୟରେ ଅନେକ ସହୃଦୟ ବ୍ୟକ୍ତି ଆଗକୁ ଆସି ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି । ଯାହାଙ୍କୁ ନେଇ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଖୁବ୍ ଚର୍ଚ୍ଚା ହେଉଛି । ଏଭଳି ଆଉ ଜଣେ ବ୍ୟକ୍ତି ଲକ୍ଷ୍ନୌ ରେଲୱେ ଷ୍ଟେସନରେ ଲୋକଙ୍କ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛନ୍ତି । ନାଁ ତାଙ୍କର ମୁଜିଉଲ୍ଲାହ , ବୟସ ୮୦ ଛୁଇଁଥିବା ବେଳେ ପେସାରେ ସେ ଜଣେ କୁଲି । ପ୍ରତିଦିନ କୁଲି କାମ କରି ସେ ପରିବାରର ପେଟ ପୋଷନ୍ତି । କିନ୍ତୁ ଏହି ଘଡ଼ିସନ୍ଧି ସମୟରେ ସେ ମାଗଣାରେ କୁଲି କାମ କରୁଛନ୍ତି । ଆଜ୍ଞା ହଁ , ମୁଜିଉଲ୍ଲାହ ମାଗଣାରେ ଯାତ୍ରୀଙ୍କ ଜିନିଷ ବୋହିବା ସହ ତାଙ୍କୁ ଖାଦ୍ୟ ଖାଇବାକୁ ଦେଉଛନ୍ତି । ଯାହାଙ୍କ କାହାଣୀ ଏବେ ସୋସିଆଲ୍ ମିଡିଆରେ ଝଡ଼ ପରି ଭାଇରାଲ୍ ହେବାରେ ଲାଗିଛି । ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ୍ ବି ମୁଜିଉଲ୍ଲାହଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।

୮୦ ବର୍ଷରେ ବି ସେ ୮ ରୁ ୧୦ ଘଣ୍ଟା କାମ କରିବା ସହ ୫୦ କିଲୋ ଓଜନ ଉଠାଇପାରୁଛନ୍ତି । ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଏବଂ ପାନୀୟ ଯୋଗାଇଦେବା ସହ ସେମାନଙ୍କ ଜିନିଷ ଉଠାଇବାରେ ବି ସାହାଯ୍ୟ କରୁଛନ୍ତି । ତାଙ୍କ କହିବାନୁସାରେ , ବର୍ତ୍ତମାନ ସେ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ନୁହଁ ସ୍ୱୟଂସେବା କରି ଲୋକଙ୍କ ସହାୟତା କରିବା ମନୋବୃତ୍ତିରେ ଅଛନ୍ତି । କ୍ରିକେଟର୍ ମହମ୍ମଦ କୈଫ୍ ଇନଷ୍ଟାରେ ତାଙ୍କ ଫଟୋ ସେୟାର୍ କରି ଲେଖିଛନ୍ତି ଯେ , “ ମାନବିକତାର କୌଣସି ବୟସ ନଥାଏ । ଲକ୍ଷ୍ନୌ ରେଲୱେ ଷ୍ଟେସନରେ କୁଲି କାର୍ଯ୍ୟ କରୁଥିବା ଏହି ୮୦ ବର୍ଷୀୟ ବ୍ୟକ୍ତିଙ୍କ ନାଁ ହେଉଛି ମୁଜିଉଲ୍ଲାହ । ସେ ଷ୍ଟେସନରେ ସମ୍ପୁର୍ଣ୍ଣ ମାଗଣାରେ ପ୍ରବାସୀଙ୍କ ଜିନିଷ ଉଠାଇବାରେ ସହାୟତା କରୁଛନ୍ତି । ଏଭଳି କଠିନ ସମୟରେ ତାଙ୍କର ନିଃସ୍ୱାର୍ଥପର ସେବା ସମାଜ ପାଇଁ ପ୍ରେରଣା ଯୋଗାଉଛି ।”