କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରକୁ ରିମାଣ୍ଡରେ ନେଇପାରେ ପୋଲିସ : ଆବେଦନ ଉପରେ ଆଜି କୋର୍ଟରେ ହେବ ଶୁଣାଣି

ସେପଟେ ଲଖିମପୁର ହିଂସା ନେଇ ମହା ବିକାଶ ଅଘାଡ଼ି ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ

41

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ ପୋଲିସ । ଏଥିପାଇଁ ପୋଲିସ ଅଦାଲତରେ ରିମାଣ୍ଡ ଆବେଦନ କରିଛି । ଆଜି ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ୧୨ ଘଂଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ଲଖିମପୁର ଖେରୀ ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି ।

ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେଇ ଅକ୍ଟୋବର ତିନି ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମଡାଇବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ହିଂସା ସଂପର୍କରେ ପଚରାଉଚରା କରିବ ପୋଲିସ । ଆଶିଷ ମିଶ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ହିଂସାକାଣ୍ଡର ୬ଦିନ ପରେ ସୁପ୍ରମିକୋର୍ଟଙ୍କ ହସ୍ତକ୍ଷେପ ପରେ କ୍ରାଇମବ୍ରାଂଚରେ ହାଜର ହୋଇଥିଲେ ଆଶିଷ । ୩ ତାରିଖରେ ଉତରପ୍ରଦେଶ ଲଖିମପୁରରେ ଘଟିଥିଲା ହିଂସାକାଣ୍ଡ । ଏଥିରେ ୪ ଜଣ ଚାଷୀଙ୍କ ସମେତ ୮ଜଣଙ୍କ ଜୀବନ ଯାଇଥିଲା । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିବା ସାଂଘାତିକ ଅଭିଯୋଗ ରହିଛି ।

ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ହୋଇଥିବା ହିଂସାରେ ୪ ଜଣ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ମହାରାଷ୍ଟ୍ର ବନ୍ଦ । ଶିବସେନା-ଏନ୍ସିପି-କଂଗ୍ରେସ ମେଂଟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ମହାରାଷ୍ଟ୍ରର ବିଭିନ୍ନ ବ୍ୟବସାୟୀ ସଂଗଠନ ବନ୍ଦରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜେପି କହିଛି, କୃଷକଙ୍କ ପ୍ରତି ଦରଦ ନଥିବା ମହାବିକାଶ ଅଘାଡି ସରକାର ଲୋକଙ୍କୁ ବିଭ୍ରାସ କରିବା ପାଇଁ ବିଭିନ୍ନ ପ୍ରୟାସ କରୁଛି । ଲଖୀମପୁର ହିଂସା ନେଇ ବନ୍ଦ ପାଳନ ସୁବିଧାବାଦୀ ରାଜନୀତିର ଏକ ନମୁନା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ।