ନର୍ଦ୍ଦମା ପାଣିରେ ଭାସିଲା ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଶହ ଶହ ପାସବୁକ୍ : ରାଗରେ ନିଆଁ ହେଲେ ଉପଭୋକ୍ତା 

468

ସାମ୍ନାକୁ ଆସିଲା ଦାୟିତ୍ୱହୀନତାର ରୂପ । ନାଳରେ ଭାସିଲା ବ୍ୟାଙ୍କ୍ ପାସବୁକ୍ ଏବଂ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁରରେ । ଏଠାରେ ବ୍ୟାଙ୍କର ଶହ ଶହ ପାସବୁକ୍ ଏବଂ ଜରୁରୀ କାଗଜପତ୍ର ନାଳରେ ଭାସୁଥିବା ଦେଖାଯାଇଛି । ଏହି ଘଟଣା ଅଞ୍ଚଳବାସୀଙ୍କ ଆଖିରେ ପଡ଼ିବା କ୍ଷଣି ସାରା ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଉପଭୋକ୍ତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି ।

ସ୍ଥାନୀୟ ଲୋକେ ଏହି ମାମଲାର ଜାଞ୍ଚ୍ କରିବା ପାଇଁ ପୁଲିସକୁ ସୂଚନା ଦେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଜାଞ୍ଚ୍ ପରେ ଏହି ପାସବୁକ୍ ପଞ୍ଜାବ ଏବଂ ସିନ୍ଧ୍ ବ୍ୟାଙ୍କର ପାସବୁକ୍ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବାନୁସାରେ , ରେଲୱେ ବ୍ରିଜ୍ ତଳେ ଥିବା ନାଳରେ ଅଚାନକ ଶହ ଶହ ବ୍ୟାଙ୍କ୍ ପାସବୁକ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭାସୁଥିବା ଦେଖିବାକୁ ମିଳିଥିଲା । ଅନେକ ପାସବୁକ୍ ରେ ଉପଭୋକ୍ତାଙ୍କ ଜମା ଟଙ୍କାର ସୂଚନା ଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ସହରରେ ଥିବା ବ୍ୟାଙ୍କର ପାସବୁକ୍ କିଭଳି ଦୂରରେ ଥିବା ଏକ ନାଳରେ ପହଁଚିଲା ଏହାର ଜାଞ୍ଚ୍ କରିବା ନେଇ ଏବେ ଉପଭୋକ୍ତା ଦାବି କରିଛନ୍ତି ।

ଅନ୍ୟପକ୍ଷେ ବ୍ୟାଙ୍କ୍ ମ୍ୟାନେଜରଙ୍କ କହିବାନୁସାରେ , ଏହା ସବୁ ନକଲି ପାସବୁକ୍ ନହେଲେ ରିଜେକ୍ଟ ପାସବୁକ୍ । ବ୍ୟାଙ୍କ୍ ଘଟଣାକୁ ସାଧାରଣ ବୋଲି କହୁଥିଲେ ହେଁ ଉପଭୋକ୍ତା ଏହାକୁ କୌଣସି ଘୋଟାଲା ଥିବା କଥା କହୁଛନ୍ତି ।