କଷ୍ଟ କରି ଚାଷ କରି ପରିବା ବିକିବାକୁ ଆସିଥିଲା ଚାଷୀ ! ହେଲେ ସବୁ ପରିବାକୁ ନଷ୍ଟ କରିଦେଲା ସରକାରୀ ବାବୁଙ୍କ ଗାଡି, ଦେଖନ୍ତୁ ଭିଡିଓ ।

318

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ି ଗରିବ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ପରିବାକୁ ନଷ୍ଟ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଫା ସଫା ଏକ ଧଳା ରଙ୍ଗର ସରକାରୀ ଗାଡ଼ି ଗରିବ ଚାଷୀଙ୍କ ପରିବା ଉପରେ ଚଢ଼ି ଯାଉଥିବା ଦେଖାଯାଇଛି । ଗାଡ଼ିଟି ସରକାରୀ କର୍ମଚାରୀ ସୁଶିଲ କୁମାରଙ୍କର ବୋଲି ଜଣା ପଡ଼ିଥିବା ବେଳେ ସେ ସରକାରଙ୍କ ଦ୍ବାରା ଚାଲୁଥିବା ସେହି ମାର୍କେଟର ସେକ୍ରେଟାରୀ ବୋଲି ଜଣା ପଡ଼ିଛି । ଏହି ଘଟଣା ଘଟୁଥିବା ବେଳେ ସୁଶିଲ କୁମାର ସେଠାରେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କ ଗାଡ଼ି ଚାଳକ ଏଭଳି କରିଥିବା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଘଟଣାଟି ଶନିବାର ଘଟିଥିଲା । ମାର୍କେଟର ସଦସ୍ୟ ମିଶି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ । କିଛି ଚାଷୀ ବିନା ଅନୁମତିରେ ସରକାରୀ ମାର୍କେଟରେ ପରିବା ବିକୁଥିବାରୁ ସେମାନଙ୍କୁ ହଟାଇବା ପାଇଁ ବିକ୍ରି କରିବାକୁ ଆଣିଥିବା ପରିବା ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ତେବେ ଏହି ଘଟଣାରେ ସୁଶିଲ କୁମାରଙ୍କ ଗାଡ଼ିର ବ୍ୟବହାର କରାଯାଇଥିବା ବେଳେ ତାଙ୍କୁ ଏ ନେଇ ପ୍ରତିକ୍ରିୟା ମଗାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ, ଆମେ ମାନେ ଚାଷୀଙ୍କୁ ଅନେକ ଥର ରାସ୍ତାରେ ନ ବସି ଦୋକନ କରି ଭିତରେ ବସିବା ପାଇଁ କହି ଆସିଛୁ । ଯେଉଁମାନଙ୍କର ଦୋକାନ ନାହିଁ ସେମାନଙ୍କୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ମଧ୍ୟ କହିଛୁ ।  ସବୁ ପରେ ବି ସେମାନେ ନିୟମ ନ ମାନି ରାସ୍ତା କଡ଼ରେ ପରିବା ବିକୁଛନ୍ତି । କିନ୍ତୁ ସେମାନଙ୍କୁ ହଟାଇବା ପାଇଁ ମୋ ଗାଡ଼ିର ଚାଳକ ଯାହା କରିଛନ୍ତି, ତାହା ସଂପୂର୍ଣ୍ଣ ଅନୁଚିତ । ଏ ନେଇ ମୁଁ ତାଙ୍କୁ ତାଗିଦ୍ କରିବା ସହ ଆଗକୁ ଏଭଳି ନ କରିବା ପାଇଁ କହିଛି ।