ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୂତ୍ର, ୨୧ଟି ଜିଲ୍ଲା ପ୍ରଭାବିତ, ସେପଟେ ଉତ୍ତରପ୍ରଦେଶରେ ବି ବନ୍ୟାରେ ଲୋକେ ହନ୍ତସନ୍ତ ।

106

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ବନ୍ୟା । ଆସାମରେ ବନ୍ୟାର ତାଣ୍ଡବ । ବିପଦ ସଂକେତ ଉପରେ ବହୁଛି ବ୍ରହ୍ମପୁତ୍ର । ଫଳରେ ୨୧ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ବନ୍ୟାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ।

ବନ୍ୟାରେ ବେହାଲ ଉତ୍ତରପ୍ରଦେଶ । ଲଗାଣବର୍ଷା ପାଇଁ ରପ୍ତି ନଦୀରେ ବନ୍ୟା ଆସିବା ଫଳରେ ଗୋରଖପୁରରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାର ଅନେକ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଘରର ଅଧା ବନ୍ୟା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ରାସ୍ତା, ଘାଟ ସବୁକିଛି ବନ୍ୟା ପାଣିରେ ବୁଡି ରହିଛି । ଲୋକେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଥିବାବେଳେ ଘରର ଛାତ ଉପରେ ଆଶ୍ରୟ ନେଉଛନ୍ତି । ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି ।

ସେପଟେ ଲଗାଣ ବର୍ଷା ପାଇଁ ଆସାମରେ ବନ୍ୟା । ବହ୍ମପୁତ୍ର ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ନଦୀରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ନଦୀର ଆଖପାଖ ଜିଲ୍ଲା ବେଶ ପ୍ରଭାବିତ ହେବାରେ ଲାଗିଛି । ୨୧ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳ ଲୋକେ ବେଶୀ ପ୍ରଭାବିତ ହୋଇଛନ୍ତି । ଘର, ଦ୍ୱାର, ରାସ୍ତା ଘାଟ ସବୁଆଡେ ବନ୍ୟା ପାଣି ଦେଖିବାକୁ ମିଳିଛି । ଲୋକଙ୍କ ପାଖରେ ଖାଇବାକୁ ନାହିଁ, କି ପାନୀୟ ଜଳ ମଧ୍ୟ ନାହିଁ ।

ସେପଟେ ଆସାମରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।