ଉତ୍ତରପ୍ରଦେଶ ଅମରେହାରେ କୃଷକମାନଙ୍କ ନିଷ୍ପତ୍ତି । କମ୍ପାନୀମାନଙ୍କୁ ବନ୍ଦ କରାଯିବ ଦୁଗ୍ଧ ଯୋଗାଣ । ଗାଜିପୁର ସୀମାକୁ ପଠାଯିବ ଦୁଗ୍ଧ !

150

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନ୍ କୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଏବେ ଉତ୍ତରପ୍ରଦେଶର ଅମରେହାରେ କୃଷକ ମାନେ ଏକ ନୂଆ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି । ଏଠାରେ କୃଷକ ମାନେ କ୍ଷୀର ନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି , ଫଳରେ ସେଠାରେ କ୍ଷୀର ସଂକଟ ଦେଖା ଦେଇଛି ।

ସୂଚନା ମୁତାବକ ଅମରେହା ଜିଲ୍ଲା ରସୁଲପୁର ଗ୍ରାମର କୃଷକ ମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧକୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ କିମ୍ବା ଖୋଲା ବଜାରରେ ବିକ୍ରି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ନିକଟସ୍ଥ ସହର ଓ ବାଜରକୁ ବାହାର ଜିଲ୍ଲାରୁ କ୍ଷୀର ନେଇ ଆସୁଥିବା ଗାଡି ଗୁଡିକୁ ଅଟକାଇ ସେମାନଙ୍କ ଉପରେ ଜରିମାନା ଲଗାଯାଉଛି ।  ଡ୍ରାଇଭରକୁ ଅଟକ ରଖିବା ସହ ଗାଡିକୁ ପମ୍ପଚର କରିଦେବାର ଧମକ ଦିଆଯାଉଛି । କେବଳ ଅମରେହା ନୁହେଁ ଶାହାଜାଦପୁର ଗାଁରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ସେଠାରେ ଦୁଗ୍ଧଚାଷୀ ମାନେ ଖୋଲାବଜାରରେ ଦୁଗ୍ଧ ବିକ୍ରି ବନ୍ଦ କରିଦେବା ସହ ଅନ୍ୟ ଜିଲ୍ଲାର ଚାଷୀମାନଙ୍କୁ ଏଭଳି କରିବାକୁ ପରାମର୍ଶ ଦେଉଛନ୍ତି । ଫଳରେ ସ୍ଥାନୀୟ ବଜାର ମାନଙ୍କରେ କ୍ଷୀରର ଅଭାବ ଅନୁଭୂତ ହୋଇଛି ।

ଏନେଇ ଚାଷୀମାନେ କହିଛନ୍ତି କି ପ୍ରତ୍ୟେକ ଗାଁ ରୁ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଏକତ୍ରିତ କରି ଗାଜିପୁର ସୀମାକୁ ପଠାଯିବ । ଯେଉଁଠାରେ କୃଷକ ମାନଙ୍କ ଦ୍ୱାରା ଆନ୍ଦୋଳନ ଜାରି ରହିଛି । ଅମରେହାର ଦୁଗ୍ଧ ଚାଷୀମାନଙ୍କର ଏଭଳି ଆନ୍ଦୋଳନକୁ ଅନ୍ୟ ଜିଲ୍ଲାର ଚାଷୀମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।