କରୋନା କାଳରେ ଫ୍ୟାମିଲି କୋର୍ଟର ଐତିହାସିକ ନିଷ୍ପତି… ସ୍ତ୍ରୀ ଭଳି ଏବେ ସ୍ୱାମଙ୍କୁ ବି ମିଳିବ ଭରଣପୋଷଣ ପାଇଁ ଭତ୍ତା । ଅଲଗା ହେବା ପରେ ସ୍ୱାମୀଙ୍କ ଚଳିବା ଖର୍ଚ୍ଚ ବହନ କରିବେ ପତ୍ନୀ

4,141

ସ୍ୱାମୀଙ୍କ ଭରଣପୋଷଣ ପାଇଁ ବି ମିଳିବ ଭତ୍ତା । ଆଉ ଏହି ଭତ୍ତା ଦେବେ ଖୋଦ୍ ଆବେଦନକାରୀଙ୍କ ପତ୍ନୀ । ଏକଥା ଆମେ କହୁନାହୁଁ ବରଂ ଏକ ମାମଲାର ଶୁଣାଣୀ ବେଳେ ଏଭଳି ଏକ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ଉତରପ୍ରଦେଶ ମୁଜଫରନଗରରେ ଥିବା ଏକ ଫ୍ୟାମିଲି କୋର୍ଟ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୟୁପିର କିଶୋରୀ ଲାଲ ନାମକ ଜଣେ ବ୍ୟକ୍ତିଙ୍କର ୩୦ ବର୍ଷ ପୂର୍ବେ ପତ୍ନୀ ମୁନ୍ନୀ ଦେବୀଙ୍କ ସହ ବିବାହ ହୋଇଥିଲା । ମାତ୍ର ବିବାହର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ତେବେ ସେ ସମୟରେ କିଶୋରୀ ଲାଲଙ୍କ ପତ୍ନୀ ମୁନୀ ଦେବୀ କାନପୁର ସ୍ଥିତ ଇଣ୍ଟିଆନ ଆର୍ମିରେ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ । ବର୍ତମାନ ସେ ଚାକିରୀରୁ ଅବସର ନେଇସାରିଥିବା ବେଳେ ପେନସନ ବାବଦକୁ ମିଳୁଥିବା ୧୨ ହଜାର ଟଙ୍କାରେ ନିଜର ଗୁଜୁରାଣ ମେଂଟାଉଛନ୍ତି । ଏପଟେ କିଶୋରୀ ଲାଲ୍ ମଧ୍ୟ ଚା ଦୋକାନ ଖଣ୍ଡେ ଖୋଲି ନିଜ ପେଟ ପୋଷୁଛନ୍ତି ।

ତେବେ ୭ ବର୍ଷ ପୂର୍ବେ କିଶୋରୀ ଲାଲ୍ ଫ୍ୟାମିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବଂ ନିଜର ଦୟନୀୟ ଅବସ୍ଥାର ଭରଣପୋଷଣ ପାଇଁ ପତ୍ନୀଙ୍କଠାରୁ ମାସିକ ଭତା ପାଇଁ କୋର୍ଟ ସମ୍ମୁଖରେ ଆକୁଳ ନିବେଦନ କରିଥିଲେ ।  ଯାହାର ଶୁଣାଣୀ ବେଳେ ଫ୍ୟାମିଲ୍ କୋର୍ଟ ପତ୍ନୀ ମୁନ୍ନୀ ଦେବୀକୁ ସ୍ୱାମୀ କିଶୋରୀ ଲାଲଙ୍କ ଚଳିବା ପାଇଁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ଭତ୍ତା ବାବଦକୁ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।