କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଜ୍ୟ ୟୁପିରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳମାନେ ଅଣ୍ଟା ଭିଡ଼ିଛନ୍ତି । ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ୩ ଦିନିଆ ଗସ୍ତରେ ଯାଇ ୟୁପିରେ ପହଂଚିଛନ୍ତି । ସେ ୧୮ ତାରିଖ ପର୍ଯ୍ୟନ୍ତ ୟୁପିରେ ରହିବେ ଓ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତିର ସମୀକ୍ଷା କରିବେ ।
ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ନିର୍ବାଚନର ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି । ୨୦୧୭ ୟୁପି ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ୟୁପିରେ କଂଗ୍ରେସ ବିଜେପି ଠାରୁ ଯେଭଳି ପରାଜୟ ଗ୍ରହଣ କରିଛି ତାହାକୁ ନଜରରେ ରଖି ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳ ନିର୍ବାଚନ ଲଢିବ ବୋଲି ଅନୁମାନ କରାଯାଉଛି । ଆଜି ପ୍ରିୟଙ୍କା ଗାନ୍ଧୀ ଲକ୍ଷେ୍ନø ପହଂଚିବା ପରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଯେଭଳି ଭାବେ କରୋନା ବିରୋଧୀ ଲଢେଇରେ ଯୋଗୀଙ୍କ ସଫଳତାକୁ ନେଇ ପ୍ରଶଂସା କରିଥିଲେ ତାହାକୁ ନେଇ ପ୍ରିୟଙ୍କା କହିଛନ୍ତି କି ପ୍ରଧାନମନ୍ତ୍ରୀ ଯେତେ ଲୁଚାଇଲେ ବି କରୋନା କାଳରେ ଯୋଗୀଙ୍କ ଅମାନବୀୟ ଶାସନର କ୍ରୁରତା କେବେ ବି ଲୁଚିବ ନାହିଁ ।
Follow Us