ୟୁପି ବିଧାନ ସଭା ନିର୍ବାଚନ । ଦଳ ବାନ୍ଧୁଛି ବଳ, ନେତା ସାଜୁଛନ୍ତି କାଳ

98

କନକ ବ୍ୟୁରୋ : ୨୦୨୨ ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ପୁଣି ୟୁପିରେ ନିଜର ସ୍ଥିତି ସଦୃଢ କରିବାକୁ ପ୍ରୟାସ ଜାରି ରଖିଛି । ଦଳର ମହାସଚିବ ପ୍ରିୟଙ୍କ ଗାନ୍ଧୀ ଦଳର କର୍ମକର୍ତ୍ତା ଓ ନେତାଙ୍କୁ ନେଇ ଯୋଗୀ ସରକାର ବିରୋଧରେ ବଳ ବାନ୍ଧିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସର ବଡ ବଡ ନେତା ଦଳଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି ।

ପଶ୍ଚିମ ଉତ୍ତରପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା ତଥା ଜାଟ୍ ସମୁଦାୟ ଚେହେରା ପୂର୍ବତନ ସାଂସଦ ହରେନ୍ଦ୍ର ମଲ୍ଲିକ ଓ ତାଙ୍କ ପୁଅ (ପୂର୍ବତନ ବିଧାୟକ) ପଙ୍କଜ ମଲ୍ଲିକ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହରେନ୍ଦ୍ର ମଲ୍ଲିକ ୟୁପିରେ ପ୍ରିୟଙ୍କାଙ୍କ ପରାମର୍ଶଦାତା କମିଟିରେ ସାମିଲ ଥିବା ବେଳେ ତାଙ୍କ ପୁଅ ପଙ୍କଜ ରାଜ୍ୟ କଂଗ୍ରେସର ଉପାଧ୍ୟକ୍ଷ ପଦରେ ଥିଲେ । ହେଲେ ଏବେ ଏହି ଦୁଇନେତା କଂଗ୍ରେସ ଶିବିରରୁ ମୁହଁ ଫେରାଇ ନେଇଛନ୍ତି । ଅନୁମାନ କରାଯାଉଛି କି ଏହି ବାପ ପୁଅ ଦୁଇଜଣ ୨୨ ତାରିଖରେ ହେବାକୁ ଥିବା ସମାଜବାଦୀ ପାର୍ଟି ରାଲିରେ ଅଖିଳେଶଙ୍କ ସହ ଯୋଡିହେବେ ।

କହିରଖୁ କି ପାଖା ପାଖି ୩୦ ବର୍ଷ ହେବ ୟୁପି କ୍ଷମତାରୁ ବାହାରେ ରହିଛି କଂଗ୍ରେସ । ଏହାରି ଭିତରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପାଇଁ ଆଶାର କିରଣ ଭଳି ଦେଖା ଦେଇଛନ୍ତି । ୨୦୧୭ ବିଧାନ ସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନରେ ୟୁପିରେ କଂଗ୍ରେସକୁ ସର୍ବନିମ୍ନ ଆସନ ମିଳିଥିଲା । ଏହାପରେ ୟୁପି କଂଗ୍ରେସ ପ୍ରଭାରୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହାର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ପ୍ରିୟଙ୍କା କହିଥିଲେ କି ରାଜ୍ୟରେ ଦଳର ସଂଗଠନ କମଜୋର ଥିବାରୁ ଏଭଳି ଫଳା ଫଳ ମିଳିଥିଲା ।

ଏହାପରେ ଖୁଦ୍ ପ୍ରିୟଙ୍କା ଗାନ୍ଧୀ ୟୁପି କଂଗ୍ରେସର ମଙ୍ଗ ଧରିଥିଲେ । ନିଜ ପଶନ୍ଦର ଦଳୀୟ ନେତାଙ୍କୁ ଭିନ୍ନ ଭିନ୍ନ ପଦ ପଦବୀରେ ଅବସ୍ଥାପିତ କରି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ଚାରିଆଡେ ସଂଘର୍ଷ କରି ଦଳକୁ ମଜବୁତ କରିବା ଓ ଯୋଗୀ ସରକାରଙ୍କ ବିରୋଧରେ ଭୋଟରଙ୍କୁ ଏକଜୁଟ କରିବା କାମରେ ଲାଗିପଡିଛନ୍ତି ପ୍ରିୟଙ୍କା ।

ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ଯେଉଁ ନେତାମାନଙ୍କୁ ନେଇ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ନେତା ଏବେ କଂଗ୍ରେସରୁ ଇସ୍ତଫା ଦେଇ ସାରିଛନ୍ତି । ଏହି କ୍ରମରେ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଜିତିନ ପ୍ରସାଦ ଏବେ ଯୋଗୀ ସରକାରରେ ଶିକ୍ଷାମନ୍ତ୍ରୀ ଅଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ସଲିମ୍ ସେରୱାନୀ, ଅନ୍ନୁ ଟଣ୍ଡନ,ବାଲ କୁମାର ପଟେଲ କେଶର ଜାହାଁ, ବିଜେନ୍ଦ୍ର ସିଂ, ଚୌଧୁରୀ ଲିୟାକତ, ରାମ ସିଂ ପଟେଲ, ଜଶମିନ ଅନସାରୀ, ଅଙ୍କିତ ପରିହାର ଓ ରମେଶ ରାହୀଙ୍କ ଭଳି ନେତା ପ୍ରିୟଙ୍କାଙ୍କ ଉପରୁ ଭରଶା ତୁଟାଇ ଏବେ ଅଖିଳେଶଙ୍କ ସାଇକେଲରେ ବସି ସାରିଛନ୍ତି । ଏହାବାଦ ଆହୁରି ଅନେକ ପୂର୍ବ ବିଧାୟକ ଓ ସାଂସଦ କଂଗ୍ରେସ ଛାଡି ବିଜେପି ଓ ସମାଜବାଦୀ ପାର୍ଟିରେ ବି ଯୋଗ ଦେଇସାରିଛନ୍ତି । ଏଭଳି ସ୍ଥିତିରେ ପ୍ରିୟଙ୍କା କେମିତି ଯୋଗୀଙ୍କୁ ଟକ୍କର ଦେବେ ତାହାଁ ହିଁ ପ୍ରଶ୍ନବାଚୀ ।