ଉତ୍ତର ପ୍ରଦେଶ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ଅମିତ ଶାହା କଲେ ସ୍ପଷ୍ଟ

256

କନକ ବ୍ୟୁରୋ : ୟୁପିର ୨୦୨୨ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ? ନିର୍ବାଚନ ପରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବ ନା ଆଉ କିଏ ? ଏନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା । ଲକ୍ଷ୍ନୌରେ ଏକ ଜନସଭାକୁ ଉଦବୋଧନ ଦେଇ ଶାହା କହିଛନ୍ତି କି ୨୦୨୪ ରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ ୨୦୨୨ ରେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଡିବ । ଏହି ଗୋଟିଏ ମନ୍ତବ୍ୟ ଏବେ ୟୁପି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚାଲିଥିବା ଆଶଂକାକୁ ଦୂର କରିଛନ୍ତି । ଏହାସହ ଶାହା କହିଛନ୍ତି କି ୨୦୧୭ ନିର୍ବାଚନରେ ୟୁପିବାସୀଙ୍କୁ ଯୋଗୀ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୯୦ ପ୍ରତିଶତ ପ୍ରତିଶ୍ରୁତି ଯୋଗୀ ପୂରଣ କରିଛନ୍ତି । ଅନ୍ୟପଟେ ୟୁପିରେ ବାହୁବଳୀ ବା ଗୁଣ୍ଡାରାଜକୁ ନେଇ ଶାହା କହିଛନ୍ତି ଦିନେ ୟୁପି କହିଲେ ଗୁଣ୍ଡାମାନଙ୍କର ରାଜ ଚାଲୁଥିଲା, ହେଲେ ଆଜି ଚଷମା ଲଗାଇ ଖୋଜିଲେ ବି ଜଣେ ବି ବାହୁବଳୀ ନଜରକୁ ଆସୁ ନାହାଁନ୍ତି ।

ଉକ୍ତ ସଭାରେ ଅମିତ୍ ଶାହା ବିଜେପିର ସମସ୍ତ ଉପଲବ୍ଧି ଭୋଟରଙ୍କୁ ଗଣାଇବା ସହ କେନ୍ଦ୍ର ୨୦୨୪ ଓ ୟୁପି ୨୦୨୨ କୁ ନେଇ କରିଥିବା ରୋଡମ୍ୟାପ ବି ସ୍ପଷ୍ଟ କରିଛନ୍ତି । ଶାହା କହିଥିଲେ କି ପୁଣିଥରେ ରାଜ୍ୟରେ ବିଜେପିକୁ ସୁଯୋଗ ଦେଲେ ସାରା ଦେଶରେ ୟୁପି ପ୍ରତି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିବ ।

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି କି କିଛି ରାଜନୈତିକ ଦଳ ଏମିତି ଅଛନ୍ତି ଯେଉଁମାନେ ବେଙ୍ଗ ଭଳି କେବଳ ବର୍ଷା ଆସିଲେ ପଦାକୁ ବାହାରନ୍ତି । ସେହିଭଳି ନିର୍ବାଚନ ବେଙ୍ଗମାନେ କେବଳ ନିର୍ବାଚନ ଆସିଲେ ରାଜ୍ୟର ବିକାଶ କଥା ମନେ ପକାଇ ହୋହାଲ୍ଲା କରନ୍ତି ବୋଲି ଶାହା କହିଛନ୍ତି । ସେ କହିଛନ୍ତି କି ୟୁପିରେ ଦୀର୍ଘ ୧୫ ବର୍ଷ ଧରି ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ଶାସନ କାଳରେ ୟୁପିକୁ ବର୍ବାଦ କରିଦେଇଛନ୍ତି । ଏହାକୁ ସଜାଡିବାକୁ ପୁଣିଥରେ ଯୋଗୀଙ୍କ ଉପରେ ଭରଶା କରିବାକୁ ପଡିବ ।