କନକ ବ୍ୟୁରୋ : ଉତ୍ତର ପ୍ରଦେଶକୁ ଯୋଗୀଙ୍କ ଗଡ କହୁଥିବା ଲୋକମାନେ ଆଜି ଭାବିବାକୁ ବାଧ୍ୟ ହେଉଛନ୍ତି ଯେ ସତରେ କଣ ଯୋଗୀ ଆଗାମୀ ବିଧାନସଭା ନିର୍ବାଚନରେ ପରାଜିତ ହେବାକୁ ଯାଉଛନ୍ତି । ଏଭଳି ପ୍ରଶ୍ନ ଉଙ୍କିମାରିବା ପଛରେ କିଛି ସତ୍ୟତା ରହିଛି କି ? ଯଦି ହଁ ତେବେ ଆଜି ଯୋଗୀଙ୍କ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପ୍ରଥମେ ମନ୍ତ୍ରୀ ପଦରୁ ଇସ୍ତଫା ଓ ପରେ ବିଜେପିରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ମିଶିବା ହେଉଛି ତାହାର ଉଦାହରଣ ।
୨୦୨୧ ଡିସେମ୍ବର ୧୧ ତାରିଖରୁ ୨୦୨୦ ଜାନୁଆରୀ ୧୧ ତାରିଖ ମଧ୍ୟରେ ଉତ୍ତର ପ୍ରଦେଶ ବିଜେପିର ୧୭ ଜଣ ବଡ ନେତା ଦଳ ଛାଡି ସାରିଛନ୍ତି । କେବଳ ଦଳଛାଡି ନାହାଁନ୍ତି, ୟୁପିରେ ବିଜେପିର ବଡ ଶତ୍ରୁ କୁହାଯାଉଥିବା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଯୋଗୀ ସରକାରଙ୍କ କ୍ୟାବିନେଟର ୩ ଜଣ ମନ୍ତ୍ରୀ ଥିବା ବେଳେ ୮ ଜଣ ବିଧାୟକ ରହିଛନ୍ତି ।
ଆଜି ଗୋଟିଏ ଦିନରେ ଯୋଗୀ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୩ ଜଣ ବିଧାୟକ ଦଳ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ବେଳେ ଅନ୍ୟ ୩ ବିଧାୟକ କିଛିଦିନ ମଧ୍ୟରେ ସପାରେ ଯୋଗ ଦେଉଥିବା ଖବର ରହିଛି । କହିରଖୁ କି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପ୍ରଥମେ ବହୁଜନ ସମାଜବାଦୀ ପାର୍ଟିରେ ଥିଲେ । ସେ ୨୦୦୭ ରୁ ୨୦୧୨ ମଧ୍ୟରେ ମାୟାବତୀଙ୍କ ସରକାରରେ ବି ମନ୍ତ୍ରୀ ଥିଲେ ।
ଆପଣମାନଙ୍କ ମନରେ ପୁଣି ପ୍ରଶ୍ନ ଆସିପାରେ କି ବହୁମତ ଠାରୁ ବହୁ ଅଧିକ ଆସନରେ ବିଧାୟକ ଜିତି ସରକାର ଗଠନ କରିଥିବା ବିଜେପି ଠାରୁ ବିଧାୟକ,ମନ୍ତ୍ରୀ ଓ ବରିଷ୍ଠ ନେତାମାନେ କାହିଁକି ମୁହଁ ଫେରାଇ ନେଉଛନ୍ତି । ଏହାର ଏକମାତ୍ର କାରଣ କି ଆଗାମୀ ବିଧାନସଭା ନିର୍ବାଚନ ବିଜେପି ଓ ସପା ମଧ୍ୟରେ ହେବାକୁ ଯାଉଛି । କଂଗ୍ରେସ ଓ ବିଏସପି ନିର୍ବାଚନ ଦୌଡରେ ଥିଲେ ବି ତାଙ୍କ ପଲ୍ଲା ଭାରି ପଡିବା ଭଳି ସ୍ଥିତି ସେମାନେ ଉତ୍ତର ପ୍ରଦେଶରେ ପ୍ରସ୍ତୁତ କରିପାରୁ ନାହାଁନ୍ତି । ଏହି କାରଣରୁ ବିଜେପିରୁ ବିମୁଖ ହେଉଥିବା ନେତାମାନେ ସମାଜବାଦୀ ପାର୍ଟିରେ ଯୋଗ ଦେଉଛନ୍ତି ।
ଅନ୍ୟପଟେ ରାଜନୈତିକ ବିଶ୍ଳେଷକଙ୍କ ମତରେ ଗତ ୨୦୧୬ ନିର୍ବାଚନରେ ଯେଉଁ ମୁଦ୍ଦାକୁ ଆୟୁଧ କରି ବିଜେପି ସପା ଓ ବସପାକୁ ଧରାସାୟୀ କରିଥିଲା ସେହି ମୁଦ୍ଦାକୁ ଆଗ୍ରାଧିକାର ଦେଇ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି । ଅର୍ଥାତ ବିଜେପି ବ୍ର୍ରାହ୍ମଣ ଭୋଟ ହାତେଇବାକୁ ଗୋଟି ଚାଳନା କରୁଥିବା ବେଳେ ସମାଜବାଦୀ ପାର୍ଟି ମୁସଲିମ ଓ ଯାଦବ ଫେକ୍ଟରକୁ ଫୋକସ କରୁଛି । ଏସବୁ କାରଣକୁ ଦେଖିଲେ ଅନୁମାନ କରାଯାଉଛି କି ବିଜେପି ପାଇଁ ସମାଜବାଦୀ ପାର୍ଟି ଯେତିକି ଅବରୋଧ କରିପାରି ନଥାନ୍ତା ଏବେ ବିଜେପି ନେତାମାନେ ସମାଜବାଦୀ ପାର୍ଟିରେ ଯୋଗ ଦେଇ ବିଜେପି ପାଇଁ କଣ୍ଟା ହେବାରେ ଲାଗିଛନ୍ତି ।