ପଲଟି ଗଲା ଏକଜିଟ୍ ପୋଲର ପୂର୍ବାନୁମାନ! ଉତ୍ତରପ୍ରଦେଶରେ ୩୨୪ ଆସନରେ ବିଜେପି ବିଜୟୀ

66

କନକ ବ୍ୟୁରୋ : ରାଜନୀତିର କୁରୁକ୍ଷେତ୍ର କୁହାଯାଉଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ ସଫଳତା । ଉତରପ୍ରଦେଶରୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଫଳାଫଳ । ବିଜେପିର ଶେଷ ହୋଇଛି ବନବାସ । ୩ଶହରୁ ଅଧିକ ଆସନରେ ବିଜୟୀ ହୋଇ ସପା-କଂଗ୍ରେସ ମେଂଟ ଓ ମାୟାବତୀଙ୍କୁ ବହୁ ପଛରେ ପକାଇ ଦେଇଛି ବିଜେପି ।

ଉତରାଖଣ୍ଡରେ ବି ବିପୁଳ ସଂଖ୍ୟାରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ହରିଶ ରାୱତଙ୍କ ସରକାରଙ୍କୁ ବିତାଡିତ କରିବା ସପକ୍ଷରେ ମତଦେଇଛନ୍ତି ଜନତା । ବର୍ତମାନର ତାଜା ସୂଚନା ଅନୁସାରେ ଉତରାଖଣ୍ଡର ମୋଟ୍ ୭୦ଟି ଆସନରୁ  ବିଜେପି ୫୭, କଂଗ୍ରେସ ୧୧ ଏବଂ ଅନ୍ୟାନ୍ୟ ଦଳ ୨ଟି ଆସନ ପାଉଛି ।

ମଣିପୁରରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର । କଂଗ୍ରେସକୁ ୨୭ଟି ଓ ବିଜେପିକୁ ୨୨ ଆସନ ମିଳିଥିବା ବେଳେ ଭୋଟ୍ ଗଣତି ଜାରି ରହିଛି । ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ କିଏ ସରକାର ଗଢିବ ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ଥୋବଲ ଆସନରୁ ଲଢିଥିବା ମଣିପୁର ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂ ଆଗୁଆ ଥିବା ଜଣାପଡିଛି । ଏଠାରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ବିଜେପି ମଧ୍ୟ ଏଥର କ୍ଷମତା ହାତେଇବାକୁ ଜୋର୍ ଲଗାଇଛି ।

ସେହିପରି ଗୋଆରେ ମଧ୍ୟ ଏଯାଏଁ ସ୍ଥିତି ସ୍ପଷ୍ଟ ହୋଇନି । ଏଠାରେ କଂଗ୍ରେସକୁ ୧୭ ଓ ବିଜେପିକୁ ୧୩ଟି ଆସନ ମିଳିଛି । ୪୦ ବିଧାନସଭା ଆସନ ବିଶିଷ୍ଟ ଗୋଆରେ ଝୁଲା ସରକାର ହେବା ଆଶଙ୍କା ଦେଖା ଦେଇଛି । ଏଠାରେ ବିଜେପି କ୍ଷମତାରେ ଥିବା ବେଳେ ନିର୍ବାଚନରେ କିନ୍ତୁ ଆଶାନୁରୂପ ସଫଳତା ପାଇ ପାରିନାହିଁ । ଭୋଟ୍ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ଆଗୁଆ ରହିଥିବା ଜଣାପଡିଛି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରତାପ ସିଂହ ରାଣେ ପୋରିୟମ ଆସନରେ ବିଜୟ ଲାଭ କରିଛନ୍ତି । ତେବେ ବିଜେପି ସରକାରର ମନ୍ତ୍ରୀ ଦୟାନ୍ଦ ମାନ୍ଦେଦକର ହାରି ଯାଇଛନ୍ତି ।