କନକ ବ୍ୟୁରୋ: ରାଜନୀତିକୁ ଡେଇଁଲା ସୋନଭଦ୍ର ନରସଂହାର ନିଆଁ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ-ସପାକୁ ଟାର୍ଗେଟ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଲେ, ଘଟଣା ସହିତ ଜଡ଼ିତ ଅଭିଯୁକ୍ତ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି। ଏହି ଘଟଣା ଆର୍ଥିକ କାରବାରକୁ ଆଖି ଠାରୁଛି । ଯେଉଁ ଲୋକମାନେ ଏହି ପାପ କାମରେ ସାମିଲ ଅଛନ୍ତି, ସେମାନେ ସମାଜବାଦୀ ପାର୍ଟି ସହିତ ଆର୍ଥିକ କାରବାର ସଂପୃକ୍ତ ଅଛନ୍ତି । ଏପରିକି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ନେତା ଏହି ପାପ କର୍ମ ପାଇଁ ଦାୟୀ ଏବଂ ସେମାନଙ୍କୁ ସଜା ମିଳିବ ବୋଲି ଚେତାବନୀ ଦେଇଛନ୍ତି ଯାଗୀ ।
ସୋନଭଦ୍ର ଜିଲ୍ଲାର ଉମ୍ଭା ଗାଁରେ ଗତ ବୁଧବାର ଜମି ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାରେ ମୋଟ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି କିଛି ଲୋକ ଆହତ ହୋଇଥିଲେ । ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଆହତ ମାନଙ୍କୁ ହସପିଟାଲରେ ଭେଟିବା ସହିତ ଘଟଣାରେ ନିଜର ଆତ୍ମିୟଙ୍କୁ ହରାଇଥିବା ପରିବାରକୁ ଯୋଗୀ ଭେଟି ଅଭିଯୁକ୍ତମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ର ହତ୍ୟାକାଣ୍ଡ ପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନଙ୍କୁ ରବିବାର ଦାୟୀ କରିବା ପରେ ରାଜନୀତି ଜୋର ଧରିଛି । କାରଣ ଗତ ବୁଧବାର ଠାରୁ ଏହି ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଯୋଗୀ ସରକାରଙ୍କୁ ଘେରିଥିବା ବେଳେ ଆଜି ଏନେଇ ଖୋଦ୍ ଯୋଗୀ ମୁହଁ ଖୋଲିଛନ୍ତି । ସିଧାସଳଖ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଏହି ଘଟଣାରେ ଦାୟୀ କରି ସଜା ପାଇବାକୁ ଚେତାବନୀ ଦେଇଛନ୍ତି ଯୋଗୀ ।