ବିଜେପି ଓ ଯୋଗୀ ଆଦିତ୍ୟନାଥ ଉପରେ ବର୍ଷିଲେ ଏଆଇଏମଆଇଏମ୍ ନେତା । କହିଲେ, ହିନ୍ଦୁ-ମୁସଲିମ୍ କଥା ବିନା ବିଜେପିର କାମ ଚାଲେନି । 

159

କନକ ବ୍ୟୁରୋ: ବିଜେପି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ବର୍ଷିଲେ ଏଆଇଏମଆଇଏମ୍ ମୁଖପାତ୍ର ଅସୀମ ୱକାର । ବିଜେପି ଧ୍ରୁବିକରଣର ରାଜନୀତି କରୁଛି । ହିନ୍ଦୁ-ମୁସଲିମ୍ ଏବଂ ୱବୈସୀଙ୍କ କଥା କହିବା ବିନା ବିଜେପି ଚାଲିପାରିବନି ବୋଲି ସେ କଟାକ୍ଷ କରି କହିଛନ୍ତି । ତେବେ ଅସଲ କଥା ହେଉଛି, ଜାତୀୟ ଗଣମାଧ୍ୟମର ଏକ ଆଲୋଚନାରେ ଭାଗ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ରାମଙ୍କ ସହିତ ରହିମ୍ ମଧ୍ୟ ଅଛନ୍ତି, ରାମଙ୍କ ବିନା ରହିମ ରହିପାରିବେ ନାହିଁ । ଯେଉଁ ଲୋକ ରାମଙ୍କୁ ବିରୋଧ କରୁଛନ୍ତି, ସେମାନେ ତାଲିବାନୀକରଣର ସମର୍ଥକ ବୋଲି ଯୋଗୀ କହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଏଆଇଏମଆଇଏମ୍ ନେତା ଅସୀମ ୱକାର । ସେ କହିଥିଲେ, ଏହା ବିଲକୁଲ୍ ଠିକ୍ । ରାମଙ୍କ ବିନା ରହିମ ରହିପାରିବେ ନାହିଁ , ଦୁଇ ଜଣ ସାଥି ହୋଇ ରହିବେ । ତେବେ ସେହି ଇଶ୍ୱର ସୈତାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ଯେଉଁଠି ଇଶ୍ୱର ଅଛନ୍ତି, ସେଇଠି ସୈତାନ ମଧ୍ୟ ଅଛନ୍ତି । ଆଉ ସେହି ସୈତାନ ଲୋକଙ୍କୁ ପଥଭ୍ରଷ୍ଟ କରିଥାଏ ।

ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ ରାମଚନ୍ଦ୍ରଙ୍କୁ କୌଣସି ବି ମୁସଲମାନ ବିରୋଧ କରନ୍ତି ନାହିଁ । ଏମିତି ବିଶ୍ୱର କୌଣସି ବ୍ୟକ୍ତି ରାମଙ୍କୁ ବିରୋଧ କରନ୍ତି ନାହିଁ । କେବଳ ଭାରତରେ ହିଁ ଲୋକମାନେ ରାମଙ୍କ ନାଁକୁ ନେଇ ଲୋକଙ୍କୁ ଉସୁକାଉଛନ୍ତି, ଆଉ ହାତରେ ହତିଆର ଧରି ଲଢିବାକୁ ଶିଖାଉଛନ୍ତି । ତେବେ ସେହିଭଳି ଲୋକଙ୍କୁ ସବୁବେଳେ ବିରୋଧ କରାଯାଉଛି ଏବଂ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ହାଇଦ୍ରାବାଦର ନାଁ ବଦଳାଇ ଏହାକୁ ଭାଗ୍ୟନଗର କରିବା ଖବର ଉପରେ ମଧ୍ୟ ଏଆଇଏମଆଇଏମ୍ ନେତା ନିଜର ମତ ରଖିଥିଲେ । ସେ କହିଥିଲେ ଅପେକ୍ଷା କରନ୍ତୁ,ବହୁତ ଲୋକ ବହୁତ ସ୍ୱପ୍ନ ଦେଖୁଛନ୍ତି । ତେବେ ଏଥର ଉତ୍ତରପ୍ରଦେଶର ଲୋକ ନାଁ ବଦଳାଉଥିବା ଲୋକଙ୍କୁ ନୁହେଁ ବରଂ ରୋଜଗାର ଦେବାକୁ କହୁଥିବା ଲୋକଙ୍କୁ ଶାସନ ଗାଦିରେ ବସାଇବେ । ତା ସହିତ ସେ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ୮୦ ପ୍ରତିଶତ ଲୋକ ଏବେ ଅସୁବିଧାରେ ସମୟ କାଟୁଛନ୍ତି । କେବଳ ୮ ପ୍ରତିଶତ ଲୋକଙ୍କର ଏଠାରେ ଶାସନ ଚାଲିଛି । ଉତ୍ତରପ୍ରଦେଶରେ ଏହି ସମୟ ଭିତରେ ପ୍ରାୟ ୫୦୦ ବ୍ରାହ୍ମଣଙ୍କ ହତ୍ୟା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଯାହାକୁ ଲୋକମାନେ କଦାପି ଭୁଲିବେ ନାହିଁ ବୋଲି ସେ କହିଛନ୍ତି ।