କନକ ବ୍ୟୁରୋ : ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଠେଲାଗାଡି ଧରି ୪କିଲୋମିଟର ଚାଲି ଚାଲି ଗଲେ ବୃଦ୍ଧ ବ୍ୟକ୍ତି, କିନ୍ତୁ ବଞ୍ଚାଇ ପାରିଲେନି ସ୍ତ୍ରୀଙ୍କ ଜୀବନ । ଏହିଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଉତ୍ତରପ୍ରଦେଶର ବଲିୟାରୁ ।
ବଲିୟା ଚିଲକହର ଗାଁରେ ରହୁଥିବା ଶୁକୁଲ ପ୍ରଜାପତିଙ୍କ ସ୍ତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଚିକିତ୍ସାଳୟ ନେବା ପାଇଁ ଆମ୍ବୁଲାନ୍ସ ଲୋଡିଥିଲେ ବି ଶୁକୁଲଙ୍କ ସ୍ତ୍ରୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ମିଳିପାରିନଥିଲା । ତେଣୁ ଅସୁସ୍ଥ ସ୍ତ୍ରୀକୁ ଏକ ଠେଲାରେ ୪କିଲୋମିଟର ବୋହି ନେଇ ମେଡିକାଲରେ ପହଞ୍ଚିଥିଲେ ଶୁକୁଲ । ଚାଲିବା ପାଇଁ ଗୋଡରେ ବଳ ନଥାଇ ବି ଠେଲା ଗାଡିକୁ ହାତରେ ଧରି ପହଞ୍ଚିଥିଲେ ନିକଟସ୍ଥ ଚିକିତ୍ସାଳୟରେ । କିନ୍ତୁ ଦୁର୍ଭାଗ୍ୟ ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇପାରିନଥିଲେ । ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଆଉ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ତ୍ରୀ ଆରପାରିକୁ ଚାଲିଗଲେ ।
ସବୁଠୁ ବଡ କଥା ହେଉଛି ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ବି ସେଠାରେ ତାଙ୍କର କୌଣସି ଚିକିତ୍ସା ନକରି ତାଙ୍କୁ ଅନ୍ୟଏକ ଡାକ୍ତଖାନାକୁ ରେଫର କରିଦେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଆମ୍ବୁଲାନ୍ସ ମିଳିନଥିଲା । ଶୁକୁଲ ଅତି ଗରିବ ହୋଇଥିବାରୁ ବେସରକାରୀ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ତାଙ୍କ ପାଇଁ ସମ୍ଭବ ନଥିଲା । ତଥାବି ସେ ଠେଲାରେ ବୋହି ନେଇ ତାଙ୍କ ସ୍ତ୍ରୀକୁ ରେଫର କରାଯାଇଥିବା ହସ୍ପିଟାଲରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସ୍ତ୍ରୀ ମରିଯିବା ପରେ ତାଙ୍କର ଦୁଃଖ କେହି ବି ବୁଝିନଥିଲେ । ସ୍ତ୍ରୀର ଶବ ନେବା ପାଇଁ ବି ଆମ୍ବୁଲାନ୍ସଟିଏ ମିଳିଲାନାହିଁ । ତେଣୁ ବାଧ୍ୟ ହୋଇ ଶୁକୁଲ ୧୧୦୦ ଟଙ୍କା ଦେଇ ଏକ ଘରୋଇ ଆମ୍ବୁଲାନ୍ସରେ ସ୍ତ୍ରୀର ଶବକୁ ଘରକୁ ଆଣିଲେ...
ଏବେ ସେହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖାଯାଇଛି କି, କେମିତି ଶୁକୁଲ ଠେଲାଗାଡିରେ ତାଙ୍କ ସ୍ତ୍ରୀଙ୍କୁ ଧରି ଡାକ୍ତରଖାନା ନେଉଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରିଜେସ୍ ପାଠକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ତେବେ ପ୍ରଶ୍ନ ଉଠୁଛି ସରକାରୀ ସୁବିଧା କାହା ପାଇଁ । କିଏ ପାଉଛି ପ୍ରକ୍ରୁତ ସୁବିଧା?