କନକ ବ୍ୟୁରୋ : ଏବେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜନୀତି ଛାଡି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପ୍ରଶଂସାରେ ଲାଗିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ହେଉଛି ।
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ଅଭିନୟ ପାଇଁ ଯେତିକି ପରିଚିତ ନୁହେଁ ତା ଠାରୁ ସେ ତାଙ୍କର ବିବାଦୀୟ ବୟାନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଚଳଚିତ୍ର ଦୁନିଆରୁ ରାଜନୀତି ପର୍ଯ୍ୟନ୍ତ ସବୁବେଳେ ଖୋଲାଖୋଲି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତ୍ରୀ । ଏହି କାରଣରୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ ବହୁ ଅଧିକ ହୋଇଥିବା ବେଳେ ଏବେ ତାଙ୍କ ପ୍ରଶଂସକଙ୍କ ତାଲିକାରେ ଏକ ନୂଆ ନାମ ଯୋଡି ହୋଇଛି । ସେ ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ଉପରେ ଯୋଗୀ ଆଦିତ୍ୟନାଥ ଏଭଳି ଏକ କମେଣ୍ଟ ଦେଇଛନ୍ତି କି ଯାହା ଜାଣିଲେ ଆପଣ ବି କହିବେ ଯୋଗୀ କଙ୍ଗନାଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି ।
ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଏହାକୁ ନେଇ ଯୋଗୀ କହିଥିଲେ କି ଦୁନିଆରେ ସବୁଠାରୁ ଭଲ ଫିଲ୍ମସିଟି ନିର୍ମାଣ କରାଯିବ । ଏହାସହ ଯୋଗୀ କହିଥିଲେ କି, ମୁଁ କଙ୍ଗନାଙ୍କ ସିନେମା ନିଶ୍ଚୟ ଦେଖିବି । ଏହାର ଉତ୍ତରରେ କଙ୍ଗନା ଯୋଗୀଙ୍କୁ ମହାରାଜ ବୋଲି ସମ୍ବୋଧନ କରି ଏକ ହସୁଥିବା ଇମୋଜୀ କମେଣ୍ଟ କରିବା ସହ ଯୋଗୀଙ୍କୁ ପୋଷ୍ଟଟି ଟ୍ୟାଗ କରିଥିଲେ ।
କହିରଖୁ କି, ଏବେ ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ସାରା ଦେଶର ନଜର ଉତ୍ତର ପ୍ରଦେଶ ଉପରେ ରହିଛି । ସେଠାରେ ବିଜେପି ସରକାର ଥିବା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଗାମୀ ନିର୍ବାଚନ ପରେ ଯୋଗୀ ହିଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦାବିଦାର ଥିବା କଥା କୁହାଯାଉଥିବା ବେଳେ ବିଗତ କିଛିଦିନ ହେବ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଯୋଗୀଙ୍କ କଙ୍ଗନାଙ୍କୁ ପ୍ରଶଂସା ଅନ୍ୟ କିଛି ଇସାରା ଦେଉ ନାହିଁ ତ?