ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୧ ଆହତ

645

କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଇ ଜଳିଗଲା ବସ୍ । ବସ୍ରେ ଥିବା ପ୍ରାୟ ୭୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଜଳି ଯାଇଛନ୍ତି । ଏଥି ସହ ୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଉତରପ୍ରଦେଶ କେନୌଜରେ ଘଟଛି ଏହି ଭୟଙ୍କର ସଡକ ଦୁର୍ଘଟଣା । କନୌଜର ଜେଟି ରୋଡ ଜାତୀୟ ରାଜପଥରେ ଯାଉଥିବା ଏକ ଡବଲ ଡେକର ବସ୍ ଓ ଟ୍ରକ ମୁହମୁହିଁ ଧକା ହୋଇଥିଲା । ଧକା ହେବା ପରେ ଗାଡିରେ ନିଆଁ ଲାଗି ଯାଇଥିଲା । ଏବଂ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଥିଲା ବସ୍ । ଡବଲ ଡେକର ବସ୍ ହୋଇଥିବାରୁ ଯାତ୍ରୀମାନେ ବାହାରିବା କଷ୍ଟକର ହୋଇଥିଲା ।

ତେଣୁ ଏତେ ସଂଖ୍ୟାରେ ଯାତ୍ରୀଙ୍କ ଜୀବନ ଯାଇଛି । ବସର ଇନ୍ଧନ ଟାଙ୍କି ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି । ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ବସଟି କନୌଜର ଗୁରସହାୟଗଂଜରୁ ଜୟପୁର ଯାଉଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆହତଙ୍କ ପରିବାରକୁ ୫୦ ହଜାର ଓ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।