ଯୋଗୀ ସରକାରଙ୍କ ବଡ ନିର୍ଦ୍ଦେଶ । ବୋର୍ଡ ପରୀକ୍ଷାରେ କପିକଲେ ଏନଏସଏ ଧାରାରେ ଚାଲିବ ମାମଲା, ନିରୀକ୍ଷକଙ୍କୁ ବି ମଳିବ ଦଣ୍ଡ

162

କନକ ବ୍ୟୁରୋ : ପରୀକ୍ଷାରେ କପି କରିବା ଏବେ ପଡିବ ମହଙ୍ଗା । ପରୀକ୍ଷାରେ କପିକରି ଧରାପଡିଲେ ସଂପୃକ୍ତ ଛାତ୍ର ଛାତ୍ରୀ ଓ ନିରୀକ୍ଷକଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏମିତି କି ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଉପରେ ଜାତୀୟ ସୁରକ୍ଷା ନିୟମ ବା ଏନଏସଏ ଧାରାରେ ମାମଲା ରୁଜୁ ହେବ । ଏହାସହ ପରୀକ୍ଷାହଲରେ ଥିବା ନିରୀକ୍ଷକଙ୍କୁ ବି କଡା ଦଣ୍ଡରେ ଦଣ୍ଡିତ କରାଯିବ । ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସୂଚନା ମୁତାବକ ଉତ୍ତର ପ୍ରଦେଶରେ ହାଇସ୍କୁଲ ଓ ଯୁକ୍ତ ଦୁଇ ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷାରେ ଯଦି କୌଣସି ଛାତ୍ରଛାତ୍ରୀ କପିକରିବା ବେଳେ ଧରାପଡନ୍ତି ତେବେ ସେମାନଙ୍କ ଉପରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ -୧୯୮୦(ଏନଏସଏ) ଧାରାରେ ମାମଲା ରୁଜୁ କରାଯିବ । ସେପଟେ ଗତବର୍ଷ ପରୀକ୍ଷା ବେଳେ ବିଭିନ୍ନ ସ୍କୁଲରେ କପି ହୋଇଥିବା ନେଇ ପ୍ରଚାର ହୋଇଥିଲା । ଏନେଇ ଏସଟିଏଫ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିଥିଲା । ଏହି ରିପୋର୍ଟ ଆଧାରରେ ଚଳିତ ବର୍ଷ ସେହି ସ୍କୁଲଗୁଡିକରେ ପରୀକ୍ଷା କେନ୍ଦ୍ର କରାଯାଇନାହିଁ । ଏହାସହ ଚଳିତ ବର୍ଷ ପ୍ରଶ୍ନପତ୍ରଗୁଡିକୁ ଡବଲ ଲକରେ ରଖାଯିବା ସହ ଏଗୁଡିକୁ ରଖିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗରୁମକୁ ନଜର ରଖିବାକୁ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଉତ୍ତର ପ୍ରଦେଶର ସ୍କୁଲ ଶିକ୍ଷା ବିଭାଗର ମହାନିର୍ଦ୍ଦେଶକ ବିଜୟ କିରନ ଆନନ୍ଦଙ୍କ ମୁତାବକ ଶିକ୍ଷା ଅଧିକାରୀଙ୍କ ସହ ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇଛି । ଏଥିରେ କପି ରୋକିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ ବାବଦରେ ଆଲୋଚନା ହୋଇଛି । ଏଥିରେ କପି କରିଧରାପଡିଲେ ଛାତ୍ର ଛାତ୍ରୀଙ୍କ ବିରୋଧରେ ଏନଏସଏ ଲଗାଯିବା ସହ ସଂପୃକ୍ତ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥାପକ ଓ ପରୀକ୍ଷା ହଲ ନିରୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଏହାସହ ସେମାନଙ୍କ ବିରୋଧରେ କୁରକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।