କୃଷକ ଆନ୍ଦୋଳନ ସପକ୍ଷରେ ମୋର୍ଚ୍ଚା ଖୋଲିଲେ ବରୁଣ ଗାନ୍ଧୀ, ନିଜ ସରକାରକୁ ନେଇ କହିଲେ ଏମିତି କଥା

95

କନକ ବ୍ୟୁରୋ : କୃଷକଙ୍କ ସ୍ୱାର୍ଥ ଓ କୃଷକ ଆନ୍ଦୋଳନ ସପକ୍ଷରେ ବାରମ୍ବାର ଟ୍ୱିଟ୍ କରି ନିଜ ସରକାରଙ୍କୁ ଟାର୍ଗେଟ କରୁଥିବା ବରୁଣ ଗାନ୍ଧୀ ଆଜି ପୁଣି ଏକ ଟ୍ୱିଟ୍ କରି ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ଉତ୍ତରପ୍ରଦେଶ ପିଲିଭିତ ସାଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟରେ ବିଜୟୀ ହୋଇଥିବା ବରୁଣ ଆଜି କୃଷକଙ୍କ ଫସଲ ବିକ୍ରି ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଶନିବାର ଦିନ ବରୁଣ ଗାନ୍ଧୀ ଏକ କୃଷକର ଭିଡିଓ ସେୟାର କରି ଲେଖିଛନ୍ତି କି କୃଷକ ସମେଧ ସିଂ ୧୫ ଦିନ ଧରି ନିଜ ଧାନ ବିକ୍ରି କରିବାକୁ ମଣ୍ଡିରୁ ମଣ୍ଡି ବୁଲି ବୁଲି ଶେଷରେ ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି । ସେ କହିଛନ୍ତି କି ଏଭଳି ବ୍ୟବସ୍ଥା କୃଷକଙ୍କୁ କେଉଁଠୁ ଆଣି କେଉଁଠି ଠିଆ କରିଦେଲା । କୃଷି ଆଇନ ଉପରେ ପୁନଃ ବିଚାର କରିବା ଆଜିର ସବୁଠାରୁ ବଡ ମୁଦ୍ଦା ।

ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟ ମାଧ୍ୟମରେ କୃଷି ଆଇନ ଉପରେ ପୁଣିଥରେ ବିଚାର କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ଯଦି ଏହି ବ୍ୟବସ୍ଥା କୃଷକଙ୍କୁ ନିଜ କଷ୍ଟ ଉପାର୍ଜିତ ଫସଲ ବିକ୍ରି କରିନପାରି ପୋଡିବାକୁ ପଡୁଛି ତେବେ ସରକାର ପୁଣିଥରେ ପାରିତ କରିଥିବା କୃଷି ଆଇନ ଉପରେ ବିଚାର କରନ୍ତୁ । ଏହା ପୂର୍ବରୁ ବି ବରୁଣ ଗାନ୍ଧୀ ଲକ୍ଷ୍ମୀପୁରରେ ହୋଇଥିବା ହିଂସାକୁ ନେଇ କୃଷକଙ୍କ ସମର୍ଥନରେ ଟ୍ୱିଟ କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ ।

ଏହାସହ ଅନ୍ୟଏକ ଟ୍ୱିଟରେ ବରୁଣ ଗାନ୍ଧୀ ଆଜି ଲେଖିଛନ୍ତି ଯେ ସରକାର କୃଷକଙ୍କ ଦାବିକୁ ମାନିନେବା ଉଚିତ । ସେ କହିଛନ୍ତି କି “ମୋ ରାଜନୈତିକ ଜୀବନରେ ମୁଁ କେବେ ଦୁର୍ନୀତି କରିନାହିଁ, ହେଲେ ଅନ୍ୟ ନେତାମାନେ ପୋଲିସ ଠାରୁ ବି ଚାନ୍ଦା ଆଦାୟ କରିବାରେ ଲାଗିଛନ୍ତି । ମୁଁ ସାଂସଦ ଥିଲେ ବି ନା ଦରମା ନେଇଛି , ନା ସରକାରୀ ଘର, ଜନତା ମୋତେ କ୍ଷମତା ଦେଇଛନ୍ତି ଲୋକଙ୍କର ବିକାଶ କରିବାକୁ ”

କହିରଖୁ କି ବରୁଣ ଗାନ୍ଧୀ ପ୍ରତ୍ୟେକ୍ଷ ଭାବେ ସରକାରଙ୍କୁ ସମାଲୋଚନା ନକରି ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରିବାରେ ଲାଗିଛନ୍ତି ।