ଉତ୍ତର ପ୍ରଦେଶ ବିଧାନସଭାରେ ଦେଖିବାକୁ ମିଳିଲା ଅଜବ ଚିତ୍ର । ରାମନାମୀ ଗାମୁଛା ପକାଇ ବିଧାନସଭାକୁ ଆସିଲେ ବିଜେପି ବିଧାୟକ

89

କନକ ବ୍ୟୁରୋ : ଅଯୋଧ୍ୟାକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏବେ ଏହାର ଏକ ଝଲକ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବିଧାନସଭାରେ । ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିଧାନସଭା ବାହାରେ ଓ ଭିତରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୋଟିଏ ପଟେ ସମାଜବାଦୀ ପାର୍ଟିର ବିଧାୟକମାନେ ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ବେଳେ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ନାରା ଲଗାଇଥିଲେ । କେବଳ ସେତିକି ନୁହେଁ ଏକ ସର୍ବଧର୍ମ ସମ୍ପର୍ଣ୍ଣ ଗଣତନ୍ତ୍ର ରାଷ୍ଟ୍ରର ଗଣତନ୍ତ୍ର ମନ୍ଦିରକୁ ବିଜେପି ବିଧାୟକମାନେ ରାମନାମୀ ଗାମୁଛା କାନ୍ଧରେ ପକାଇ ଆସିବା ସହ ବିଧାନସଭା ଭିତରେ ଜୟ ଶ୍ରୀରାମ ନାରା ପକାଇଥିଲେ ।

ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକଙ୍କ ଜୟ ଶ୍ରୀରାମ ନାରାରେ ପୁରା ସଦନ ପ୍ରକମ୍ପିତ ହୋଇଥିଲା । କେବଳ ସେତିକି ନୁହେଁ ଶାସକ ଓ ବିରୋଧୀ ଉଭୟଙ୍କ ମୁରବୀ କୁହାଯାଉଥିବା ରାଜ୍ୟପାଳ ମଧ୍ୟ ତାଙ୍କ ଅଭିଭାଷଣ ଆରମ୍ଭରେ ଜୟ ଶ୍ରୀରାମ ନାରା ଲଗାଇଥିଲେ ।

ବିଜେପି ବିଧାୟକଙ୍କ କହିବା କଥା ରାମ ମନ୍ଦିର ଜନ ଭାବନା ସହ ଜଡିତ, ଆମେ ଜନତାଙ୍କ ପ୍ରତିନିଧିତ୍ୱ କରୁଛୁ । ଏହି କାରଣରୁ ଆମେ ଏହି ରଙ୍ଗରେ ରଙ୍ଗେଇ ହୋଇଛୁ ବୋଲି ସେମାନେ ସଫେଇ ଦେଇଥିଲେ ।