କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସବୁଦଳ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ଦଳ ତରଫରୁ ଅଜି ପ୍ରଥମ ପର୍ଯ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଘୋଷଣା ହୋଇଥିାବ ୧୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ ମହିଳା ରହିଛନ୍ତି । ସବୁଠାରୁ ବଡକଥା କି ଗୋଟିଏ ସମୟରେ ଉନାଓ ଦୁଷ୍କର୍ମ ମାମଲାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ବେଳେ ଏବେ କଂଗ୍ରେସ ଦଳ ତରଫରୁ ଉକ୍ତ ପୀଡିତାଙ୍କ ମା ଙ୍କୁ କଂଗ୍ରେସ ପ୍ରାର୍ଥୀ କରି ଯୋଗୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।
କହିରଖୁ କି ଉତ୍ତର ପ୍ରଦେଶରେ କଂଗ୍ରେସର ମଙ୍ଗ ଧରିଥିବା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ପ୍ରଚାର ବେଳେ ମହିଳାଙ୍କ ପାଇଁ ଦେଇଥିବା ନାରା ‘ମେଁ ଲେଡକୀ ହୁଁ ଲଡଶକ୍ତି ହୁଁ’ ରାଜ୍ୟର ମହିଳାମାନଙ୍କ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ରାଜ୍ୟରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ କଥା ଦେଇଥିଲା, ଯାହାକି ଦଳ ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ପ୍ରତିଫଳିିତ ହୋଇଛି ।
ସୂଚନା ଥାଉକି ନିର୍ବାଚନ ଆୟୋଗ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶରେ ୭ ଟି ପର୍ଯ୍ୟାୟରେ ୪୦୩ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଭୋଟ ଗ୍ରହଣ କରାଯାଇ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
Follow Us