ୟୁପି ନିର୍ବାଚନ ପୂର୍ବରୁ ସପା ଓ ବସପାକୁ ଶକ୍ତ ଝଟକା, ବିଜେପିରେ ଯୋଗଦେଲେ ୧୦ ଏମଏଲସି

123

କନକ ବ୍ୟୁରୋ : ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପି ପୁଣିଥରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିକୁ ଝଟକା ଦେଇଛି । ଉଭୟ ସପା ଓ ବସପାର ୧୦ ଜଣ ବିଧାନପରିଷଦ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏନେଇ ବିଜେପି ଜଏନିଂ କମିଟି ଆଜି ସେମାନଙ୍କୁ ଦଳର ସଭ୍ୟପଦ ଦେଇଛନ୍ତି ।

ସୂଚନା ମୁତାବକ ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ସଦସ୍ୟ ନଗର ନିଗମ କ୍ଷେତ୍ରର ଏମଏଲସି ଅଟନ୍ତି । କେବଳ ସେତିକି ନୁହେଁ ବିଜେପି ପକ୍ଷରୁ ସେମାନଙ୍କୁ ଆଗାମୀ ନଗର ନିଗମ ନିର୍ବାଚନରେ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୂୁତି ଦେଇଛି । କୁହାଯାଉଛି କି ଏମାନଙ୍କୁ ଦଳରେ ସାମିଲ କରିବା ପଛରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଓ ବିଜେପି ଉପାଧ୍ୟକ୍ଷ ଦୟାଶଂକର ସିଂଙ୍କର ବଡ ଭୂମିକା ରହିଛି । ନିର୍ବାଚନ ପୂର୍ବରୁ ସପା ଓ ବସପାର ଏତେ ବଡ ସଂଖ୍ୟାର ନେତା ଦଳ ଛାଡୁଥିବାରୁ ତାହା ଦଳପାଇଁ ବଡ କ୍ଷତି ପହଂଚାଇବ ବୋଲି ଆଶା କରାଯାଉଛି ।

କୁହାଯାଉଛି କି କେବଳ ଏତିକି ନୁହେଁ ସପା ଓ ବସପାରୁ ଆହୁରି ଅନେକ ନେତାଙ୍କୁ ବିଜେପି ଦଳରେ ସାମିଲ କରାଯିବା ନେଇ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି । ଅନୁମାନ କରାଯାଉଛି କି ଦଳ ଛାଡି ବିଜେପିରେ ଯୋଗ ଦେବାକୁ ଅନେକ ବିଧାୟକ ଓ ଏମଏଲସିଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛି ବିଜେପି । ଏହା ପୂର୍ବରୁ ଅଖିଳେଶ ଯାଦବ ବିଏସପିର ୭ ଓ ବିଜେପିର ଜଣେ ବିଧାୟକଙ୍କୁ ଦଳରେ ସାମିଲ କରିଥିଲେ ।