କନକ ବ୍ୟୁରୋ: ଯେବେଠୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେବେଠୁ ବିଜେପିକୁ ମିଳିବାକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଏହା ଭିତରେ ବିଜେପିକୁ ମୋଟ୍ ୮ ଜଣ ବିଧାୟକ ବାଏ ବାଏ କହିସାରିଲେଣି । ଯାହା ଏବେ ଯୋଗୀ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Advertisment

ତାଜା ସୂଚନା ମୁତାବକ, ଏବେ ବିଧାୟକ ବିନୟ ଶାକ୍ୟ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ଫଳରେ ଏବେ ଉତ୍ତରପ୍ରଦେଶରେ ବିଜେପିରୁ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ତା ସହିତ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯେଉଁ ଦଳକୁ ଯିବେ ସେ ମଧ୍ୟ ସେହି ଦଳରେ ଯୋଗ ଦେବେ ବୋଲି କହିଛନ୍ତି ବିଧାୟକ ବିନୟ ଶାକ୍ୟ ।

ଗୁରୁବାର ବିଧାୟକ ବିନୟ ଶାକ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ସେ ସ୍ୱାମୀ ପ୍ରସାଦଙ୍କୁ ଭେଟିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ସେ ଏବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି, ଗତ ୫ ବର୍ଷ ଭିତରେ ଦଳିତ, ପଛୁଆ ଓ ଅଳ୍ପସଂଖ୍ୟକ ନେତାଙ୍କୁ ଉଚିତ୍ ସମ୍ମାନ ଦିଆଯାଇନାହିଁ । ଏହା ସହିତ ରାଜ୍ୟ ସରକାର ଦଳିତ, ପଛୁଆ ବର୍ଗର ଲୋକ, ଚାଷୀ ଓ ଛୋଟ ଛୋଟ ବ୍ୟବସାୟୀଙ୍କୁ ଉପେକ୍ଷା କରିଛି । ତେଣୁ ଏହାକୁ ଦେଖି ସେ ଏବେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ତିନି ଦିନ ଭିତରେ ବିଜେପିକୁ ଲଗାତର ଝଟକା ମିଳିବାରେ ଲାଗିଛି । ପ୍ରଥମେ ସ୍ୱାମୀ ପ୍ରସାଦ ମୈøର୍ଯ୍ୟଙ୍କ ପରେ ବୁଧବାର ଓବିସି ନେତା ଦାରା ସିଂହ ଚୌହାନ ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଏହାରି ଭିତରେ ଆଉ ୬ ଜଣ ବିଧାୟକ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇସାରିଲେଣି ।