ଉତ୍ତରପ୍ରଦେଶରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।

101

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ଉତ୍ତରପ୍ରଦେଶର ୧୬ ଜିଲ୍ଲାର ୫୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ପ୍ରାୟ ୨କୋଟି ୧୬ ଲକ୍ଷ ଭୋଟର ଭୋଟ୍ ଦେଇ ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହେବା ସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି ।

ତୃତୀୟ ପର୍ଯ୍ୟାୟ ଭୋଟିଂରେ ବିଶେଷ କରି କରହଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ସେପଟେ ପଞ୍ଜାବରେ ୧୧୭ ଆସନରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ସିଂ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ, ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ବାଛିଛନ୍ତି ଜନତା ।