ଉତରପ୍ରଦେଶ ଫାରୁକାବାଦ ବନ୍ଧକ ସଂକଟ ଟଳିଳା । ୯ ଘଂଟାର ବନ୍ଧକ ପରେ ପୁଲିସ ଗୁଳିରେ ଟଳିପଡିଲା ଅଭିଯୁକ୍ତ, ୨୩ ଶିଶୁ ସୁରକ୍ଷିତ ଉଦ୍ଧାର

128

କନକ ବ୍ୟୁରୋ : ଉତର ପ୍ରଦେଶର ଫାରୁକାବାଦରେ ୯ ଘଂଟା ପରେ ବନ୍ଧକ ସଂକଟର ଯବନିକା ପଡିଛି । ସଫଳତା ପୂର୍ବକ ବନ୍ଧକ ଥିବା ୨୩ ଶିଶୁଙ୍କୁ ଉଦ୍ଧାର କରିଛି ୟୁପି ପୁଲିସ । ପିଲାଙ୍କୁ ବନ୍ଧକ ରଖିଥିବା ଏକ ହତ୍ୟା ମାମଲାର ଦୋଷୀ ସୁଭାଷ ବାଥମର ମୃତ୍ୟୁ ପୁଲିସର ଗୁଳିରେ ହୋଇଛି । ରାତି ପ୍ରାୟ ଗୋଟିଏରେ ୟୁପି ପୁଲିସର କମାଣ୍ଡୋ ବନ୍ଧକ ଶିଶୁଙ୍କୁ ଉଦ୍ଧାର ପାଇଁ ଘରେ ପଶିବା ପରେ ସୁଭାଷ ପୁଲିସ ଉପରେ ଗୁଳି ଚଳାଇଥିଲା । ଏଥିରେ ଜଣେ ଏସଏଚଓ ସମେତ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଆଉ ପୁଲିସର ପାଳଟା ଗୁଳିରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଛି । ପିଲାଙ୍କୁ ବନ୍ଧକ ରଖିଥିବା ଘରୁ ପୁଲିସ ବ୍ୟାପକ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିଛି । ୨୩ ପିଲାଙ୍କ ସୁରକ୍ଷିତ ଉଦ୍ଧାର କରିଥିବା ରେସକ୍ୟୁ ଟିମକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଯୋଗୀ ସରକାର । ଉଦ୍ଧାର କାର୍ଯ୍ୟରେ ୟୁପି ପୁଲିସର କ୍ୱିକ୍ ରେସ୍ପନ୍ସ ଟିମ୍, ସ୍ପେଶାଲ ଅପରେସନ ଗ୍ରୁପ ଓ ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ ସାମିଲ ହୋଇଥିଲେ ।

ଏପରିକି ବନ୍ଧକକୁ ଉଦ୍ଧାର କରିବା ପାଇଁ ଦିଲ୍ଲୀରୁ ଏନଏସଜି କମାଣ୍ଡୋକୁ ମଧ୍ୟ ଡକାଯାଇଥିଲା । ଅନ୍ୟପଟେ ଉତ୍ୟକ୍ତ ଗ୍ରାମବାସୀ ସୁଭାଷର ପତ୍ନୀ ରୁବି ବାଥମକୁ ନିର୍ଧୁମ ମାଡ ମାରିଥିଲେ । ପୁଲିସ ରୁବି ବାଥମକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲା । ସେଠାରେ ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ଫାରୁକାବାଦରେ ଜଣେ ବେଲରେ ଆସିଥିବା ହତ୍ୟା ମାମଲାର ଦୋଷୀ ବନ୍ଧୁକ ମୁନରେ ୨୩ଶିଶୁଙ୍କୁ ବନ୍ଧକ ରଖିଥିବା ସୂଚନା ମିଳିଥିଲା । ସନ୍ଧ୍ୟା ପ୍ରାୟ ୫ଟାରୁ ସମସ୍ତଙ୍କୁ ଘର ଭିତରେ ବନ୍ଧୁକ ମୁନରେ ବନ୍ଦ ରଖି, କାଗଜରେ ଲେଖି ସେ ନିଜ ଦାବି ଜଣାଉଥିଲା । ତାର ଦାବି ଥିଲା ସେ ଜେଲରେ ଥିବା ବେଳେ ତା ସ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲାନି କାହିଁକି ?

ଏପରିକି ସ୍ୱଚ୍ଛ ମିଶନ ଯୋଜନାରେ ଶୌଚାଳୟ ଦିଆଗଲା ନାହିଁ ବୋଲି ଅଭିଯୋଗ କରିଥିଲା ସୁଭାଷ । ତେବେ ଜେଲରୁ କିଛି ଦିନ ତଳେ ଜାମିନରେ ଘରକୁ ଆସିଥିବା ବେଳେ ସେ ଏଭଳି କାଣ୍ଡ ଘଟାଇଥିଲା । ଜନ୍ମଦିନ ପାର୍ଟିକୁ ଡାକି ସମସ୍ତଙ୍କୁ ବନ୍ଧକ ରଖିଥିଲା ସୂଭାଷ । ପୁଲିସ ସୂଚନା ଅନୁସାରେ ସୁଭାଷ ବାଥମ ନାଁରେ ଏକ ହତ୍ୟା ମାମଲା ସମେତ ୩ଟି ଅପରାଧିକ ମାମଲା ରହିଛି । ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାକୁ ଆଜୀବନ ଜେଲ ସଜା ହୋଇଥିବା ସୁଚନା ଦେଇଛି ୟୁପି ପୁଲିସ ।