ଲଖୀମପୁରରେ ତେଜୁଛି ଚାଷୀ ରାଜନୀତି: ଘଟଣାସ୍ଥଳକୁ ଯିବାକୁ ରାହୁଲ, ପ୍ରିୟଙ୍କାଙ୍କୁ ଅନୁମତି: ରାହୁଲ କହିଲେ, ମୁଁ ମୋ ନିଜ ଗାଡି ନେଇ ଯିବି

69

କନକ ବ୍ୟୁରୋ: ୟୁପି ସରକାର ତରଫରୁ ରାହୁଲି ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ୫ଜଣଙ୍କୁ ଲଖୀମପୁର ଖେରୀ ଯାତ୍ରା କରିବାକୁ ମିଳିଛି ଅନୁମତି । ଆଉ ଅନୁମତି ମିଳିବା ପରେ ଲଖ୍ନୌରେ ପହଁଚି ପ୍ରଥମେ ସୀତାପୁର ଅଭିମୁଖେ ବାହାରି ଥିଲେ ରାହୁଲ । ଆଉ ସେଠାରୁ ଭଉଣୀ ପ୍ରିୟଙ୍କାଙ୍କୁ ନିଜ ସାଥିରେ ନେଇ ଲଖୀମପୁର ଯାତ୍ରା କରିଥିଲେ । ହେଲେ ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ପାଇଁ ସହଜ ନଥିଲା । ନିଜ ବ୍ୟକ୍ତିଗତ ଗାଡିରେ ନିବାକୁ ରାହୁଲଙ୍କୁ ପ୍ରଥମେ ମିଳି ନଥିଲା ଲଖ୍ନୌ ପ୍ରଶାସନର ଅନୁମତି । ଯାହାକୁ ନେଇ ଏୟାରପୋର୍ଟରେ ଧାରଣାରେ ବସିଥିଲେ ରାହୁଲ ।

ଲଖ୍ନୌ ଏୟାରପୋର୍ଟରେ ପହଁଚିବା ପରେ କିଛି ଏହିପରି ଧାରଣାରେ ବସିଥିଲେ ରାହୁଲ ଗାନ୍ଧୀ । ଲଖ୍ନୌ ପ୍ରଶାସନ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବ୍ୟକ୍ତିଗତ ଗାଡିରେ, ସୀତାପୁର ଓ ଲଖୀମପୁର ଯିବାକୁ ଅନୁମତି ନଦେବାରୁ ରାହୁଲ ଏପରି ଧାରଣାରେ ବସିଥିଲେ । ଏହାସହ ରାହୁଲ ଗାନ୍ଧୀଙ୍କୁ ଏୟାରପୋର୍ଟରେ ମୁଖ୍ୟ ଦ୍ୱାର ଦେଇ ବାହାରିବାକୁ ବି ଅନୁମତି ମିଳିନଥିଲା । ସେଥିରେ ରାଗିଯାଇଥିଲେ କଂଗ୍ରେସ ନେତା । ଆଉ ତାଙ୍କୁ ନିଜ ଇଚ୍ଛାରେ ଯାତ୍ରା କରିବାକୁ ଅନୁମତି ନମିଳିଲେ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ । ଶେଷରେ ରାହୁଲଙ୍କ ଜିଦ୍ ଆଗରେ ହାର ମାନିଥିଲେ ୟୁପି ସରକାର ।

ରବିବାର ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଉତରପ୍ରଦେଶ ସମେତ ସାରା ଦେଶରେ ଦେଖିବାକୁ ମିଳିଛି ଉତେଜନା । ଆଉ ଏହି ଚାପରେ ୟୁପିର ଯୋଗୀ ସରକାରଙ୍କୁ ନିଜ ନିଷ୍ପତିରୁ ଓହରି ବାକୁ ପଡିଛି । ଉତରପ୍ରଦେଶ ପ୍ରଶାସନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ୫ ଜଣଙ୍କୁ ଲଖୀମପୁର ଖେରୀ ଯାତ୍ରା କରି ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଅନୁମତି ପ୍ରଦାନ କରିଛନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲଖୀମପୁର ଖେରୀ ଯାତ୍ରା କରିଛନ୍ତି ।

ସେପଟେ ୨ ଦିନ ଧରି ସୀତାପୁର ଗେଷ୍ଟ ହାଉସ୍ରେ ଅଟକରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଜିଦ୍ ଆଗରେ ବି ହାର ମାନିଛି ୟୁପି ପ୍ରଶାସନ । ରବିବାର ହିଂସାକାଣ୍ଡ ହେବା ପରେ ଲଖୀମପୁର ଯାତ୍ରା କରିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ସକାଳୁ ୟୁପି ପୋଲିସ ଅଟକ ରଖିଥିଲା ।