ହୋଟେଲରେ ମିଳିଲାନି ରାଷ୍ଟ୍ରପତିଙ୍କୁ ଅନୁମତି: ରାସ୍ତା ଉପରେ ଛିଡା ହୋଇ ଖାଇଲେ ପିଜା

310

କନକ ବ୍ୟୁରୋ: ସୁଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ତମ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମେରିକାରେ ପହଞ୍ଚିଥିଲେ ସମସ୍ତ ଦେଶ । ଏହାରି ମଧ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ଏମିତି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିପାଇଁ ସବୁଆଡେ ଚର୍ଚ୍ଚା । ଏହି ଫଟୋରେ ଦେଖିବାକୁ ମିଳିଛି ବ୍ରାଜିଲ ରାଷ୍ଟ୍ରପତି ରାସ୍ତା ଉପରେ ଛିଡା ହୋଇ ପିଜା ଖାଉଛନ୍ତି । ହେଲେ କାହିଁକି ଜଣେ ଦେଶର ରାଷ୍ଟ୍ରପତି ଏକ ସଭାରେ ଯୋଗ ଦେବାକୁ ଯାଇ ରାସ୍ତା ଉପରେ ଛିଡା ହୋଇ ଖାଉଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ହେଉଥିବା ଫଟୋର ସତ । ଆଉ କାହିଁକି ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଆମେରିକାର ଏହି ହୋଟେଲରେ ଏଣ୍ଟ୍ରି ମିଳିଲାନାହିଁ ।

ତେବେ ରାଷ୍ଟ୍ରପତିଙ୍କୁ ହୋଟେଲରେ ଏଣ୍ଟ୍ରି ନମିଳିବାର କାରଣ ହେଉଛି କରୋନା ଭ୍ୟାକ୍ସିନ । ଆମେରିକାର ହୋଟେଲ ଓ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ । ବିନା ପ୍ରମାଣପତ୍ରରେ ଏଠାରେ ହୋଟେଲରେ ପ୍ରବେଶ ମିଳିନଥାଏ । ସେଥିପାଇଁ ବ୍ରାଜିଲ ରାଷ୍ଟ୍ରପତି ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀଙ୍କୁ ମଧ୍ୟ ହୋଟେଲରେ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । କାରଣ ସେମାନଙ୍କ ପାଖରେ ଟିକା ପ୍ରମାଣପତ୍ର ନଥିଲା ।

ରଏଟର୍ସ ଅନୁସାରେ ବ୍ରାଜିଲ ରାଷ୍ଟ୍ରପତି ଏଯାଏଁ ଭ୍ୟାକ୍ସିନ ନେଇନାହାନ୍ତି । ତାଙ୍କ କହିବାନୁସାରେ ତାଙ୍କ ପ୍ରତିରକ୍ଷା ପ୍ରଣାଳୀ କରୋନା ବିରୋଧରେ ଲଢେଇ କରିବାକୁ ଯଥେଷ୍ଟ ।