କନକ ବ୍ୟୁରୋ : ବଲିଉଡର ସୁପ୍ରତିଷ୍ଠିତ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦା ବି ନିଜକୁ ସୁରକ୍ଷିତ ମନେ କରୁନଥିଲେ । ଆମ ଦେଶରେ ମହିଳାମାନଙ୍କୁ କିଭଳି ସଂଘର୍ଷ କରିବାକୁ ପଡେ ତାର ଉଦାହରଣ ଦେଇ ନିଜ ଅନୁଭୂତି ବଖାଣିଛନ୍ତି ଜୟାପ୍ରଦା । କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅନନ୍ୟା-୨୦୨୩’ରେ ଭାଗନେଇ ଏକ ପୁରୁଣା ଘଟଣାକୁ ସେ ମନେ ପକାଇଛନ୍ତି । ଅଭିନୟ ଜଗତରେ ଅନେକ ସଫଳତା ପରେ ଜୟପ୍ରଦା ରାଜନୀତିରେ ପ୍ରବେଶ କରି ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ ।

Advertisment

ପରବର୍ତ୍ତୀ ସମୟରେ ସମାଜବାଦୀ ପାର୍ଟିକୁ ଆସି ଦୁଇ ଦୁଇଥର ସାଂସଦ ବନିଥିଲେ । ଉତର ପ୍ରଦେଶ ରାମପୁର ଲୋକସଭା ଆସନରୁ ସପା ଟିକେଟରେ ଜିତିଥିଲେ ଜୟାପ୍ରଦା । କିନ୍ତୁ ଦଳ ବିରୋଧୀ କାମ ପାଇଁ ତାଙ୍କୁ ୨୦୧୦ରେ ବହିସ୍କାର କରିଥିଲା ସମାଜବାଦୀ ପାର୍ଟି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ପୁଣି ରାମପୁରରୁ ଲଢିଥିଲେ ଜୟାପ୍ରଦା । କିନ୍ତୁ ସାମ୍ନାରେ ଥିଲେ ସପାର ହେଭିୱେଟ୍ ନେତା ଆଜମ୍ ଖାନ୍ ।

ତେଣୁ ସେହି ରାଜନୈତିକ ଲଢେଇ ବେଳର ଅନୁଭୂତି କହିବାବେଳେ ତାଙ୍କ ଜୀବନ ପ୍ରତି କିଭଳି ବିପଦ ରହିଥିଲା ସେହିକଥାକୁ କନକ ନ୍ୟୁଜ ମଞ୍ଚରେ କହିଛନ୍ତି ଜୟାପ୍ରଦା । କାହାରି ନାଁ ନନେଇ ଜୟା କହିଛନ୍ତି ଗୋଟିଏ ସମୟରେ କିଛି ରାଜନୈତିକ ବ୍ୟକ୍ତିଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଅନୁଭବ କରୁଥିଲେ । ପ୍ରତିଦିନ ମାଆଙ୍କୁ ଫୋନ କରି ଏହିକଥା ସେ ଜଣାଉଥିଲେ ବୋଲି ଜୟାପ୍ରଦା ମୁକ୍ତ କଣ୍ଠରେ କହିଛନ୍ତି । ଏସବୁ ତିକ୍ତ ଅନୁଭୂତି ସତ୍ୱେ ପଛକୁ ହଟିନାହାନ୍ତି ଜୟା । ମହିଳାଙ୍କ ସ୍ୱାଭିମାନ ପାଇଁ ଏବେ ଲଢେଇ ଜାରି ରଖିଛନ୍ତି ।