କାଳ ସାଜିଛି ଅଦିନିଆ ବର୍ଷା : ଅମଳ ଆଗରୁ ବିଲରେ ଗଜା ହେଲା ପାଚିଲା ଧାନ

132

କନକ ବ୍ୟୁରୋ : କାଳ ସାଜିଛି ଅଦିନିଆ ବର୍ଷା । ଅମଳ ବେଳକୁ ପାଚିଲା ଧାନ ଉପରେ ଦାଉ ସାଧିଲା ଅଦିନିଆ ଝଡ ବର୍ଷା । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଚାଷୀଙ୍କ ସ୍ୱପ୍ନକୁ ଉଜାଡି ଦେଇଛି । ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । ସରକାରୀ ସହାୟତା ମିଳିଲେ କିଛି ଲାଘବ ହୋଇ ପାରନ୍ତା ବୋଲି ଗୁହାରି କରିଛନ୍ତି ଚାଷୀ । ଅନ୍ୟପଟେ ତଦନ୍ତ ରିପୋର୍ଟ ଆସିବା ପରେ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ଝାରସୁଗୁଡା କୃଷି ଅଧିକାରୀ ।

ବିଲରେ ପାଣିରେ ପଡି ରହିଛି ପାଚିଲା ଧାନ । କିଛି କଟା ହୋଇଛି ତ ଆଉ କିଛି କଟା ହେବାକୁ ଅଛି । ଅଦିନିଆ ବର୍ଷା ପାଣିରେ ଶୋଇଥିବା ଧାନ ଗଜା ହୋଇଗଲାଣି । ଧାନ ବିଲରେ ବର୍ଷା ପାଣି ଜମି ରହିବାରୁ ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ ଧୁଲୁଣ୍ଡା ଗାଁରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଉଠା ଜଳସେଚନ ଉପରେ ନିର୍ଭର କରି ପ୍ରାୟ ୫୦୦ ରୁ ୬୦୦ ଏକର ଜମିରେ ଧାନ ଚାଷ କରିଥିଲେ ଏହି ଅଂଚଳର ଚାଷୀ ।

ଧାନ ଫସଲ ଅମଳ ବେଳକୁ ଅଦିନିଆ ବର୍ଷା ସବୁ କିଛି ଛାରଖାର କରି ଦେଇଛି । ବିଲରେ ଧାନ ଗଜା ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳିଲେ, କିଛି ମାତ୍ରାରେ କ୍ଷତି ଭରଣା ହୁଅନ୍ତା ବୋଲି ଚାଷୀ କହିଛନ୍ତି । ସେପଟେ ବ୍ଲକ କୃଷି ଅଧିକାରି କ୍ଷୟକ୍ଷତି ଆକଳନ କରି, ରିପୋର୍ଟ ଦେବା ପରେ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ପ୍ରତିବର୍ଷ ରବି ଋତୁରେ ଧାନ ଚାଷ କରି ବର୍ଷର ଆହାର ସଂଗ୍ରହ କରିବା ସହ ଦୁଇ ପଇସା ଲାଭ ପାଇଥାନ୍ତି ଚାଷୀ । ହେଲେ ଏଥର ସବୁ ଛଡେଇ ନେଛି ବର୍ଷା ।