୩ ଦିନ ପରେ ବଦଳିଲା ପାଗ । ତା’ପୂର୍ବରୁ ଅଦିନିଆ ବର୍ଷା ଉଜାଡିଦେଲା ସୁନାର ଫସଲ । ଚିନ୍ତାରେ ଚାଷୀ ।

121

କନକ ବ୍ୟୁରୋ: ଦୁଇ ଦିନର କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି । ଅଦିନିଆ ବର୍ଷାରେ ପନିପରିବା ସମେତ ଅର୍ଥକାରୀ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଦୁଇ ଦିନର ଲଗାଣ ବର୍ଷା ପରେ ଚାଷ ଜମିରେ ପାଣି ଲହଡି ମାରୁଛି । ପାଣିରେ ବୁଡି ରହିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ହେକ୍ଟର ହେକ୍ଟର ଚିନାବାଦାମ ଚାଷ । ୧୨ ଘଣ୍ଟାରୁ ଅଧିକ ସମୟ ଧରି କ୍ଷେତରେ ପାଣି ଜମି ରହିଥିବାରୁ ଚିନାବାଦମ ଏବେ ଗଜା ହେବାକୁ ବସିଲାଣି । ଆହୁରି ଗୋଟିଏ ଦିନ ଜମିରୁ ପାଣି ନଛାଡିଲେ ଚିନାବାଦାମ ସଢି ଯିବା ଆଶଙ୍କା ମଧ୍ୟ ରହିଛି । ସେପଟେ ଫସଲ ନଷ୍ଟ ହେବା ପରେ ରୁଣ ଟଙ୍କା କେମିତି ପରିଶୋଧ କରିବେ ସେହି ଚିନ୍ତା ଚାଷୀଙ୍କୁ ଘାରିଛି ।

ଯାଜପୁର ଜିଲ୍ଲାରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି । ଚିନା ବାଦାମ ଏକ ପ୍ରମୁଖ ଫସଲ ହୋଇଥିବା ବେଳେ ଲଗାଣ ବର୍ଷା ପାଇଁ ହେକ୍ଟର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି । ଅମଳ ହେବା ପୂର୍ବରୁ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଛି ଚିନା ବାଦାମ । ନିଜ ଫସଲକୁ କେମିତି ସୁରକ୍ଷା ଦେବେ ସେହି ଚିନ୍ତାରେ ଏବେ ଘାଂଟି ହେଉଛି ଚାଷୀ । କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି ଚାଷୀ ।