ପୁଣି ଅଦିନିଆ ବର୍ଷା ଚାଷୀଙ୍କୁ କଲା କଲବଲ । ବର୍ଷା ଓ କୁଆପଥର ମାଡରେ ନଷ୍ଟ ହୋଇଗଲା ଫସଲ ।

100

କନକ ବ୍ୟୁରୋ : ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡରେ ପୁଣି ଚଡକ ପକାଇଛି । କେଉଁଠି ଅମଳ ଧାନ ମଣ୍ଡିରେ ଭିଜି ଓଦା ହୋଇଯାଇଛି ତ ଆଉ କେଉଁଠି ପରିବା ଫସଲ କିଆରିରେ ପାଣି ଠିଆ ହୋଇଛି । ଆସନ୍ତୁ ଜାଣିବା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀର ଅସରନ୍ତି ଦୁଃଖର କାହାଣୀ ।

ଅଦିନିଆ ବର୍ଷାରେ ଚାଷୀ ହନ୍ତସନ୍ତ । କେଉଁଠି ବର୍ଷା ଓ କୁୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଇଛି, ତ ଅନ୍ୟ କେଉଁଠି ଧାନକୁ ଓଦା ହେବାରୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଓ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି ମକା ଚାଷ । କେଉଁଠି ଗଛ କଅଁଳ ଅଛି, ଆଉ କେଉଁଠି ଫୁଲ ଧରୁଛି । ଏତିକି ବେଳେ କୁଆପଥର ବର୍ଷା ସବୁକିଛି ଉଜାଡି ଦେଇଛି । ଅନେକ ସ୍ଥାନରେ ମକା ଗଛ ଭୂଇଁରେ ଲୋଟୁଥିବା ଦେଖିବାକୁ ମିଳିଛି ।

ଭିଜିଯାଉଛି ଶୁଖିଲା ଧାନ । ମଣ୍ଡିରେ ଅବ୍ୟବସ୍ଥା ବଢ଼ାଉଛି ଦୁଃଖ । ମଣ୍ଡିର ଅସଲ ଦୃଶ୍ୟ ବିଷୟରେ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନା ଛାତ ଅଛି, ନା ଧାନ ସୁରକ୍ଷିତ ରଖିବାକୁ ଅନ୍ୟ କିଛି ବ୍ୟବସ୍ଥା । ଖୋଲା ଆକାଶ ତଳେ ପଡ଼ିରହିଛି ଶହ ଶହ ଧାନ ବସ୍ତା । ଆଉ ଏହି ସମୟରେ ବର୍ଷା ହେଲେ କଥା ସରିଲା । ନିଜ ଧାନକୁ ଭିଜିବାରୁ ବଂଚାଇବାକୁ ଚାଷୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ୫୬ଟି ମଣ୍ଡି ଥିବା ବେଳେ ୩୬ଟିରେ ଧାନକୁ ସୁରକ୍ଷିତ ରଖିବା ପାଇଁ ଛାତ ନାହିଁ । କୋକସରା ବ୍ଲକର କାଶିବାହାଲ ମଣ୍ଡିରେ ପ୍ରାୟ ୫ ହଜାର କ୍ୱିଂଟାଲ ଓ ଆମପାଣି ପେକ୍ସ ଅଧିନରେ ଥିବା କାଉଡୋଳା ମଣ୍ଡିରେ ୧୫ଶହ କ୍ୱିଣ୍ଟାଲ ଧାନ ବର୍ଷାରେ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି । ଜୁନାଗଡ ଆରଏମସି ଅଧିନସ୍ଥ ଅନେକ ମଣ୍ଡିରେ ମଧ୍ୟ ସମାନ ଅବସ୍ଥା ।

ସେପଟେ ମାଲକାନାଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ଝଡ଼ ବର୍ଷା ପ୍ରଭାବରେ ଘରଦ୍ୱାର ଭାଙ୍ଗି ଯାଇଛି । ବିଶେଷ କରି ମାଲକାନଗିରି ତହସିଲ ଅଂଚଳରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଏମଭି-୪ ଗାଁରେ ଅନେକ ଘର ଦ୍ୱାର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଘର ଉପରୁ ଦସ୍ତା ଆଜବେଷ୍ଟ ଉଡିଯାଇଥିବା ବେଳେ ଘରେ ଥିବା ଅମଳ ଧାନ ଚାଉଳ ସବୁ ବର୍ଷାରେ ଭିଜିଯାଇଛି ।