କନକ ବ୍ୟୁରୋ: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଧଉଳି ଶାନ୍ତିସ୍ତୂପ ଏବେ ବିପଦରେ। ଶାନ୍ତିସ୍ତୂପର ଚୂଡ଼ାର ବିଭିନ୍ନ ସ୍ଥାନରେ ଫାଟ ଦେଖାଦେଇଛି। ଏହାର ଅଗ୍ରଭାଗରେ ସତ୍ୟ, ଧର୍ମ, ଅହିଂସା, କ୍ଷମା ଓ ଶାନ୍ତିର ବାର୍ତା ବହନ କରୁଥିବା ୫ଟି ଯାକ ଛତ୍ରିର ଏକାଧିକ ସ୍ଥାନରୁ କଙ୍କ୍ରିଟ ପଲସ୍ତରା ଖସିପଡ଼ିଲାଣି। ଚକ୍ରସ୍ତମ୍ଭର ଭଗବାନ ବୁଦ୍ଧଙ୍କ ଅସ୍ଥି ସଂରକ୍ଷିତ ସ୍ଥାନ ବି ଫାଟିଯାଇଛି। ଅପରପକ୍ଷରେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ନେଇ କଳିଙ୍ଗ ନିପନ ସଂଘ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଫଳରେ ଏହି ବିଶ୍ବ ଐତିହ୍ୟର ସ୍ଥାୟିତ୍ବ ଏବେ ଚିନ୍ତାର କାରଣ ପାଲଟିଛି।
ସାମୁଦ୍ରିକ ବାତ୍ୟା ଫନି ମାଡ଼ରେ ଶାନ୍ତିସ୍ତୂପରେ କ୍ଷୟକ୍ଷତି ଘଟିଥିଲା। ଚାରିପାଖ ପ୍ରାଚୀର ବି ଭାଙ୍ଗି ଯାଇଥିଲା। ଫନି ଯିବାର ଏହା ମଧ୍ୟରେ ୭ ମାସ ବିତିଗଲାଣି। ହେଲେ ଏହାର ମରାମତି ନେଇ ପରିଚାଳନା ଦାୟିତ୍ବରେ ଥିବା କଳିଙ୍ଗ ନିପନ ସଂଘ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବସଷ୍ଟାଣ୍ଡରୁ ପାର୍କିଂ ଫି ଆଳରେ ଗାଡ଼ିମଟର ଓ ପର୍ଯ୍ୟଟକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଫି’ ଆଦାୟ କରୁଥିବା ଧଉଳି ଉନ୍ନୟନ କମିଟି ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫନି ପରେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ନେଇ ଭୁବନେଶ୍ବର ସର୍କିଟ ହାଉସରେ ଖୋଦ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଥର ବୈଠକ ବସିଥିଲେ ହେଁ ଫଳ ଶୂନ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପୂରା ବେଫିକର। ଅନ୍ୟପକ୍ଷରେ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଙ୍କୁଳ ଅବସ୍ଥାକୁ ଗତି କରୁଥିବା ଶାନ୍ତିସ୍ତୂପର ମରାମତି କାର୍ଯ୍ୟ ନେଇ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଫନି ପରେ ଶାନ୍ତିସ୍ତୂପ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ କଳିଙ୍ଗ ନିପନ ସଂଘର ଲିଖିତ ପ୍ରସ୍ତାବ କ୍ରମେ ପଦକ୍ଷେପ ନେବେ ବୋଲି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଏଯାଏ କାର୍ଯ୍ୟକାରୀ ହୋଇପାରିନି। କଳିଙ୍ଗ ନିପନ ସଂଘର ଜଣେ ପ୍ରମୁଖ ସଦସ୍ୟଙ୍କ କହିବାନୁଯାୟୀ ଫନି ପରେ ଜାପାନରୁ ଏକ ପ୍ରତିନିଧି ଦଳ ଆସି କ୍ଷୟକ୍ଷତି ଆକଳନ କରିଥିଲେ। ଅଗ୍ରଭାଗରେ ଫାଟ ତଥା ପଲସ୍ତରା ଛଡ଼ାଇ ମରାମତି କାର୍ଯ୍ୟ କରିବା ସମ୍ଭବ ହେଉନଥିବାରୁ ସମଗ୍ର ଶାନ୍ତିସ୍ତୂପକୁ ନୂଆ କରି ପଲସ୍ତରା କରି ମାର୍ବଲ ପେଷ୍ଟିଂ କରାଯିବ ବୋଲି ଯନ୍ତ୍ରୀମାନେ କହିଥିଲେ। ଏଥିପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରିଥିଲେ। ମାତ୍ର ରାଜ୍ୟ ସରକାର ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଲକ୍ଷ ଲକ୍ଷ ଟଙ୍କା ପାଉଥିବାରୁ ରକ୍ଷଣାବେକ୍ଷଣା ଭାର ନେବା କଥା ବୋଲି ସଦସ୍ୟ ଜଣକ କହିଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଏହାର ବିକାଶ କାର୍ଯ୍ୟ ଖାଲି ଆଲୋଚନାରେ ସୀମିତ ରହିଯାଇଛି। ଏଭଳି ପରିସ୍ଥିତିରେ ଏହି ଐତିହ୍ୟ ସ୍ମାରକୀର ସୁରକ୍ଷା ସଂପୂର୍ଣ୍ଣ ଅପରିହାର୍ଯ୍ୟ ହୋଇପଡ଼ିଛି। ରାଜ୍ୟ ସରକାର ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ୧୯୭୦ ମସିହାରେ ଶାନ୍ତିସ୍ତୂପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଦୁଇବର୍ଷ ମଧ୍ୟରେ ନିର୍ମାଣ କାର୍ୟ୍ୟ ଶେଷ ହୋଇ ୧୯୭୨ ମସିହା ନଭେମ୍ବର ୮ ତାରିଖରେ ଏହା ଉଦଘାଟିତ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/dhauligiri-header.jpg)
/kanak/media/post_attachments/wp-content/uploads/2019/11/699c34d9fc27b59f757da775f78f5a3b-300x170.jpg)
/kanak/media/post_attachments/wp-content/uploads/2018/11/Aparajita-Sarangi-300x157.jpg)
/kanak/media/post_attachments/wp-content/uploads/2019/11/2018050896-1024x651-300x191.jpg)