ବିପଦରେ ଗଣମାଧ୍ୟମ । ଯିଏ ସତକୁ ଆପଣଙ୍କ ସମ୍ମୁଖକୁ ଆଣନ୍ତି, ସେମାନେ ସୁରକ୍ଷିତ ନୁହନ୍ତି । ପୁଲିସ, ଦୁର୍ବୃତ୍ତ ଓ ରାଜନେତା କରୁଛନ୍ତିି ଆକ୍ରମଣ ।

78

କନକ ବ୍ୟୁରୋ: ଓଡ଼ିଶାରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ଭ । ସାରା ରାଜ୍ୟରେ କିଛି ଦିନ ହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଆଉ ଚୁପ୍ ବସିଛି ପ୍ରଶାସନ । କାର୍ଯ୍ୟରତ ସାମ୍ବାଦିକ କେଉଁଠି ପୋଲିସ୍ ତ ଆଉ କେଉଁଠି ରାଜନେତା ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ଆକ୍ରମଣ । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ମାନେ ନିସ୍ୱାର୍ଥପର ହୋଇ ସାଧାରଣ ଜନତାଙ୍କ ସୁଖ ଓ ଦୁଃଖର ଭାଗିଦାରୀ ହୋଇ ସମସ୍ତ ସମସ୍ୟାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ଆଜି ଆକ୍ରମଣ ପରେ ଆକ୍ରମଣ କରାଯାଉଛି ।

କିଛି ଦିନ ତଳେ ସୋର ବିଧାୟକଙ୍କ ମରାଣାତ୍ମକ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ କଥା ମନରୁ ନ ଲିଭୁଣୁ ଆଜି ପୁଣି ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ନିମ୍ନ ମାନର ତେଲ ନେଇ ସ୍ଥାନୀୟ ଲୋକ ଭଙ୍ଗାରୁଜା କରିଥିଲେ । ଫଳରେ ପୁଲିସ ଘଟଣା ସ୍ଥଳରେ ପହଚିଂ ଉତ୍ତେଜିତ ଲୋକଙ୍କ ଉପରକୁ ହଠାତ ଲାଠିଚାଚଳନା କରିଥିଲା । ଏହାସହ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ପୁଲିସ ଛାଡିନଥିଲା । ସାମ୍ବାଦିକ ବୋଲି ପରିଚୟ ପତ୍ର ଦେଖାଇଥିଲେ ବି ପୁଲିସ ନ ଶୁଣି ସେମାନଙ୍କ ଉପରେ ଳାଠିଚାଳନା କରିଥିଲା । ପୁଲିସ ଲାଠିଚାର୍ଜରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ତେବେ ସାମ୍ବାଦିକଙ୍କୁ ମାଡ ମାରିବା ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଘଟଣାର ସିସିଟିଭି ଭିଜୁଆଲ ଯାଂଚ କରାଯାଉଥିବା ଏସପି ସୂଚନା ଦେଇଛନ୍ତି ।

କେବଳ ଏତିକି ନୁହେଁ ବାଲେଶ୍ୱର ବାଲିଆପାଳରେ ମଧ୍ୟ ଦୁର୍ବୃତ୍ତମାନେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖଣ୍ଡାରେ ମରାଣାତ୍ମକ ଆକ୍ରଣମ କରିଛନ୍ତି । ତେବେ ଏହାର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦକ ସଂଘ । ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ୫୦ରୁ ଉଦ୍ଧ୍ୱର୍ ଯୁବ ସାମ୍ବାଦିକ ଆକ୍ରମଣକୁ ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ସାମ୍ବାଦିକଙ୍କ ସୁରକ୍ଷା ଲାଗି ମହାରାଷ୍ଟ୍ର ଭଳି ସ୍ୱତନ୍ତ୍ର ଆଇନ ମଧ୍ୟ ଓଡ଼ିଶାରେ ପ୍ରଣୟନ କରାଯାଉ ବୋଲି ଦାବି ହୋଇଛି । ଗତ ଦୁଇ ଦିନ ତଳେ ବାଲେଶ୍ୱରର ସୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିର ଶିକାର ହୋଇଥିଲେ ସାମ୍ବାଦିକ ଏହାପରେ ବାଲିଆପାଳ ଓ ଗତକାଲି ରାତିରେ ଖବର ସଂଗ୍ରହ ବେଳେ ପୁରୀରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁଲିସ ଆକ୍ରମଣ କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।