ନା ଅଛି କାନ୍ଥ ନା ହିଁ ଛପର…ଏଠି ଭାଡିରେ ବସି ପାଠପଢୁଛନ୍ତି ଅଙ୍ଗନବାଡି ପିଲା । ମଧ୍ୟାହ୍ନ ଭୋଜନ କଥା କହିଲେ ନସରେ, ପୌଷ୍ଟିକ ଖାଦ୍ୟ ବଦଳରେ ଶିଶୁ ଖାଉଛନ୍ତି ଲୁଣ ମିଶା ଭାତ

315

କନକ ବ୍ୟୁରୋ: ନଗଡା ଶିଶୁ ମଡକ ପରେ ବେଫିକର ପ୍ରଶାସନ । ଏହାର ନଗ୍ନ ରୂପ ନଗଡା ପଡୋଶୀ ଗୁହିଆଶାଳ ରାଜସ୍ୱ ମୌଜାର ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି । ମାଗଣା ପୃଷ୍ଟିକର ଖାଦ୍ୟ ଯୋଗଣ ନାଁରେ ଏଠାକାର ଉପେକ୍ଷିତ ନିରୀହ ଜୁଆଙ୍ଗ ଶିଶୁଙ୍କ ଦାନା ଧାରାବାହିକ ଭାବେ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଗତ ଦୁଇ ମାସ ଧରି ଉକ୍ତ ଅଙ୍ଗନବାଡି କେନ୍ଦ୍ର ଏକ ଭାଡିରେ ଚାଲିଛି । ଯାହାର କାନ୍ଥ ନାହିଁ କି ଛପର ନାହିଁ । ଏଠି ପିଲାଏ ମାଟି ଚଟାଣରେ ବସି ପାଠ ପଢୁଛନ୍ତି ଆଉ ମଧ୍ୟାହ୍ନ ଭୋଜନରେ ଖାଉଛନ୍ତି ଭାତରେ ଲୁଣ ଲଗାଇ ।

ତେବେ ସିଝା ଅଣ୍ଡା ଦିଆଯାଏ ସତ ହେଲେ ସେ ବି ପୁଣି କେବେ କେବେ । ପ୍ରତିଦିନ ନୁହେଁ ବରଂ ସପ୍ତାହକୁ ୩ରୁ ୪ ଦିନ ଭାତରେ ଅଣ୍ଡା ମିଳୁଥିବା ନେଇ ଶିଶୁ ଓ ସେମାନଙ୍କ ଅଭିଭାବକ କହିଛନ୍ତି । ପିଲାଏ ଏଠି ଡାଲି, ଡାଲମା, ସୋୟାବିନ ବଡି ଆଜି ଖାଦ୍ୟର ସ୍ୱାଦ ପାଇବାରୁ ବଂଚିତ ହୋଇରହିଛନ୍ତି । ଗଜା ମୁଗ, ବାଦାମ, ଲଡୁ, ମୁଢି ମୁଆଁ ଓ ତାଲିକାଭୁକ୍ତ ସରକାରୀ ଖାଦ୍ୟ ଏଠିକାର ଶିଶୁଙ୍କ ପାଇଁ ସତେ ଯେମିତି ସ୍ୱପ୍ନ ପାଲଟିଯାଇଛି । ସେହିପରି ପିଲାଙ୍କର ପାଠପଢା ପାଇଁ ଏଠାରେ ସେଭଳି ବ୍ୟବସ୍ଥା ମଧ୍ୟ ନାହିଁ । ଭୋକ ପ୍ରପୀଡିତ ପିଲାଏ ଭାତଲୁଣରୁ ପେଟେ ଖାଇବା ପରେ ଅଙ୍ଗନବାଡି ଛୁଟି ହୋଇଯାଏ । ନଗଡା ଅପପୃଷ୍ଟିକୁ ନେଇ ରାଜ୍ୟ ନିନ୍ଦିତ ହେବା ପରେ ବି ଏଠି ଅଲୋଡା ପରମ୍ପରା ଚାଲିଛି । ଏବେବି ନଗଡା ଏବଂ ଏହାର ଆଖାପାଖ ଅଂଚଳର ଲୋକଙ୍କ ପାଇଁ ସରକାରୀ ଯୋଜନା ଉପହାସ ପାଲଟିଯାଇଛି ।

ଗତବର୍ଷ ହୋଇଥିବା କାଳ ବୈଶାଖୀରେ ଗୁହିଆଶାଳ ପ୍ରାଥମିକ ସ୍କୁଲ ତଥା ଅଙ୍ଗନବାଡି କେନ୍ଦ୍ରର ଛପର ଉଡିଯାଇଥିଲା । ଏହାର ମରାମତି ହୋଇନଥିବା କାରଣରୁ ଏକ ଭାଡିରେ ଅଙ୍ଗନବାଡି ଓ ସ୍କୁଲ ଚାଲିଛି । ଭାଡିର ଗୋଟିଏ ଖୁଂଟରେ ଏକ କଳାପଟା ଡେରି ଦିଆଯାଇଛି । ତେବେ ନଗଡା ଶିଶୁ ମଡକ ପଛରେ ଅଙ୍ଗନବାଡିର ବିଫଳତା ଏକ ପ୍ରମୁଖ କରାଣ ହୋଇଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ନିଜକୁ ସୁଧାରିବା ଦିଗରେ ଆଦୌ ଯତ୍ନବାନ ନଥିବା ସ୍ପଷ୍ଟ ବାରି ହୋଇଯାଉଛି ।