ପହଞ୍ଚିପାରୁନି ସରକାରୀ ସହାୟତା: ଗୋଟିଏ ଛୋଟ ଘରେ ରହୁଛନ୍ତି ୧୦ ପ୍ରାଣୀ

Advertisment
ପହଞ୍ଚିପାରୁନି ସରକାରୀ ସହାୟତା: ଗୋଟିଏ ଛୋଟ ଘରେ ରହୁଛନ୍ତି ୧୦ ପ୍ରାଣୀ

କନକ ବ୍ୟୁରୋ: ସରକାରୀ ସହାୟତା କାହାପାଇଁ? ଧନୀ ଲୋକଙ୍କ ପାଇଁ ନା ଗରିବଙ୍କ ପାଇଁ। କୋଉ ମାନଦଣ୍ଡରେ ପ୍ରଦାନ କରାଯାଉଛି ସରକାରୀ ସହାୟତା ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଦୀର୍ଘ ୧୦ ବର୍ଷ ହେଲା ଭଙ୍ଗା ଦଦରା ଟାଇଲ ଘରେ ଜୀବନ ବିତାଉଛନ୍ତି ୧୦ ପ୍ରାଣୀ। ଆଜି ବି ଵୃଦ୍ଧା ବାପା ରିକ୍ସା ଟାଣିରେ ଘର ଚଳାଉଛି। ହେଲେ ସେଭଳି ପରିବାରକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଦେଖିବା କିଭଳି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ଟେଂଗ୍ରାମାରି ଗ୍ରାମର ଅସହାୟ ଵୃଦ୍ଧ ସୁବଲ ମହୁରୀଙ୍କ ପରିବାର।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅନ୍ତର୍ଗତ ଟେଂଗ୍ରାମାରି ଗ୍ରାମର ହରିଜନ ସମ୍ପରଦାୟର ସୁବଲ ମହୁରୀ। ପରିବାରରେ ଦୁଇ ପୁଅ, ଦୁଇ ବୋହୁ, କୁନି କୁନି ନାତି ନାତୁଣୀ ଓ ସ୍ତ୍ରୀ। ୧୦ ପ୍ରାଣୀଙ୍କୁ ନେଇ ଏକ ଛୋଟ ଭଙ୍ଗା ଦଦରା ଟାଇଲ ଘରେ ଜୀବନ କାଟୁଛନ୍ତି ସୁବଲ। ପୁଅମାନେ ପର ଘରେ ମୁଲ ମଜୁରୀ ଲାଗି ନିଜ ସ୍ତ୍ରୀ ପିଲା ଛୁଆଙ୍କ କଥା ବୁଝିଲା ବେଳକୁ ଵୃଦ୍ଧା ବାପା ମାଙ୍କ ପାଇଁ ନିଅଣ୍ଟ ପଡୁଛି। ଆଉ ଏଇ ବୟସରେ ବୃଦ୍ଧ ସୁବଲ ରିକ୍ସା ଟାଣି ସ୍ତ୍ରୀ ଓ ନିଜ ଖର୍ଚ୍ଚ ତୁଲାଇଛନ୍ତି। ସେତିକି ରୋଜଗାରରେ କଷ୍ଟେ ମଷ୍ଟେ ଚଲିଯାଉଥିଲେ ମଧ୍ୟ ଛୋଟ କୁଡ଼ିଆରେ ୧୦ ପ୍ରାଣୀକୁ ନେଇ ଜୀବନ କାଟିବା ଅତି କଷ୍ଟସାଧ୍ୟ ହୋଇ ପଡିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ତିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଅଧିକାରୀଙ୍କ ନିକଟରେ ବହୁବାର ନିବେଦନ କରିଥିଲେ ମଧ୍ୟ ଫଳ ଶୂନ। ଫଳରେ ଏହି ବର୍ଷା ପବନରେ ଦଦରା ଜରି ଟଙ୍କା ଟାଇଲ ଘରେ ବିପଦ ଶଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି ସୁବଲଙ୍କ ପରିବାର। ସରକାରୀ ସହାୟତା କହିଲେ ରାସନ ଚାଉଳ। ବୃଦ୍ଧ ସୁବଲଙ୍କୁ ଭତ୍ତା ମିଳୁଛି କିନ୍ତୁ ତାଙ୍କ ପତ୍ନିଙ୍କୁ ଭତ୍ତା ବି ମିଳୁନି। ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ମିଳିପାରିଲେ ସୁବଲଙ୍କ ପରିବାର ଭଲରେ ଜୀବନ କାଟି ପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ।

ଏହି ଘଟଣାକୁ ନେଇ ବିଡିଓ ଉମାକାନ୍ତ ପରିଡା ଏବଂ ବ୍ଳକ ଚେୟାରମ୍ୟାନଙ୍କୁ ପଚାରିବାରୁ ସେମାନେ କୌଣସି ପ୍ରତିକ୍ରିୟା ଦେଇନାହିଁନ୍ତି। ଏପରି ସ୍ଥିତିରେ ଗରିବ ଲୋକଟି କିପରି ସରକାରୀ ସୁବିଧା ପାଇବ ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe