କନକ ବ୍ୟୁରୋ: ରାଜ୍ୟରେ ୨୫ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାର ଥିବା ମନ୍ତ୍ରୀ କହିବା ପରେ, ଧିରେ ଧିରେ ରହସ୍ୟ ଖୋଲିବାରେ ଲାଗିଛି। ଏତେ ସଂଖ୍ୟାରେ ଭୂତ ହିତାଧିକାରୀ କେମିତି ହେଲେ, ବୋଲି ଚର୍ଚ୍ଚା ହେଉଥିବାବେଳେ ଯୋଗାଣ ନିଗମର ପୂର୍ବତନ କର୍ମଚାରୀ ଗୁମର ଖୋଲିଛନ୍ତି। ଟଙ୍କା ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯାଏ ବୋଲି ଚାକିରି ସମୟର ଅନୁଭୂତିରୁ କହିଛନ୍ତି ଯୋଗାଣ ନିଗମର ପୂର୍ବତନ କର୍ମଚାରୀ ପ୍ରଭାକର ସାହୁ।
ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ କେବଳ କାର୍ଡ ଦିଆଯାଇ ନାହିଁ। ଡିଲର ମାନେ ନିଜର ପକେଟ ଗରମ କରିବା ପାଇଁ ବହୁ ହିତାଧିକାରୀଙ୍କ ମୃତ୍ୟୁ ପରେ ବି ସେମାନଙ୍କ ନାଁ ଗଡାଉଛନ୍ତି । କିନ୍ତୁ ମୃତ ବ୍ୟକ୍ତିଙ୍କ ନାଁରେ ଉଠାଯାଉଥିବା ଚାଉଳ କାହାକୁ ଦେଉନାହାନ୍ତି। ବରଂ ସେମାନେ ଖାଇ ଦେଉଛନ୍ତି। ସେହିପରି ଝିଅ ବାହା ହୋଇଯିବା ପରେ ତାଙ୍କ ନାଁ କଟି ଯାଇଛି କହି ସେମାନଙ୍କ ଚାଉଳ ଦେଉନଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାଠିକର ପାଠ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଆଉ ଚାଉଳ କେଳେଙ୍କାରୀର ଗୁମର ଖୋଲିବା ପରେ ଅଯୋଗ୍ୟ ହିତାଧିକାରୀ, ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ, ନେତାଙ୍କ ଭିତରେ ଛନକା ପଶିଛି।