କନକ ବ୍ୟୁରୋ :  ପୋଖରୀ ଭିତରେ ପଶିଛି ଆହତ ହାତୀ ।  କେତେବେଳେ ପାଣିରେ ବୁଡୁଛି ତ କେତେବେଳେ ମୁଣ୍ଡ ଉଠାଇ ନିଶ୍ୱାସ ନେବାକୁ ଚେଷ୍ଟା କରୁଛି । ଦୀର୍ଘ ୪୮ ଘଣ୍ଟାଧରି ଏମିତି ପୋଖରୀରେ ରହି କଷ୍ଟ ପାଉଛି ଦନ୍ତାହାତୀ । ଆଉ ପୋଖରୀ କୂଳରେ ଜଗି ରହିଛନ୍ତି ଡାକ୍ତର ଓ ବନବିଭାଗ କର୍ମଚାରୀ । ଶୁକ୍ରବାର ହାତୀକୁ ସାମାନ୍ୟ ଚିକିତ୍ସା କରାଯାଇଥଲେ ମଧ୍ୟ ପାଣିରେ ରହିଲେ ସଂକ୍ରମଣ ବଢିବାର ଆଶଙ୍କା କରୁଛନ୍ତି ଡାକ୍ତର ।

Advertisment

ଗତ କିଛି ଦିନ ତଳେ ଦୁଇ ହାତୀଙ୍କ ଭିତରେ ହୋଇଥିବା ଲଢେଇରେ ଆହତ ହୋଇଥିଲା ଦନ୍ତା । ସେତେବେଳେ ଏହାକୁ ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ମଧ୍ୟ କରାଯାଇଥିଲା । କିନ୍ତୁ ଆହତ ହାତୀର ଗତିବିଧି ଉପରେ ନଜର ରଖିନଥିଲେ ବନ କର୍ମଚାରୀ । ଏବେ ପ୍ରଶ୍ନ ଉଠୁଛି, ହାତୀକୁ ପାଣିରୁ ବାହାର କରିବା ପାଇଁ କାହିଁକି ଉଦ୍ୟମ କରୁନି ବନବିଭାଗ? ୪୮ ଘଣ୍ଟା ଧରି ପାଣିରେ ରହିବା ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇଲେ କିଏ ଦାୟୀ ରହିବ?  କଣ ପାଇଁ ହାତ ଟେକି ବସିଛନ୍ତି ବନ କର୍ମଚାରୀ?

ରାଜ୍ୟରେ ହାତୀମୃତ୍ୟୁର ଖବର କିଛି ନୂଆ କଥା ନୁହେଁ । ଏପରିକି ବନବିଭାଗ କର୍ମଚାରୀ ମଧ୍ୟ ହାତୀ ମୃତ୍ୟୁକୁ ଲୁଚାଇବାକୁ ଯାଇ ମୃତଦେହକୁ ଜଙ୍ଗଲରେ ପୋତିଦେବାର ଅଭିଯୋଗ ମଧ୍ୟ ରହିଛି । ଏପରି ସମୟରେ ଏହି ଆହତ ହାତୀକୁ ତୁରନ୍ତ ଚିକିତ୍ସା କରିବା ପରିବର୍ତ୍ତେ ବିଭାଗ ଦୁଇ ଦିନ ଧରି ଅପେକ୍ଷା କରି ବସିରହିବାକୁ ନେଇ ଉଠିଛି ପ୍ରଶ୍ନ । ହାତୀ ମୃତ୍ୟୁକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ପରେ ଏବେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି ବନବିଭାଗ । କିନ୍ତୁ ପୋଖରୀ ଭିତରେ ଯନ୍ତ୍ରଣାରେ ଦୁଇ ଦିନ ଧରି ପଶି ରହିଥିବା ଏହି ଦନ୍ତାହାତୀ ପାଇଁ ବନବିଭାଗ କେବଳ ଦେଖଣାହାରୀ ସାଜିବାକୁ ନେଇ ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନ ଉଠିଛି ।