ମାଡି ଆସୁଛି ବିପଦ । ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘର ସତର୍କବାଣୀ ।

Advertisment
ମାଡି ଆସୁଛି ବିପଦ । ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘର ସତର୍କବାଣୀ ।

କନକ ବ୍ୟୁରୋ: ଆଗକୁ ଉକ୍ରଟ ହେବ ସମସ୍ୟା । ମାଡି ଆସିବ ତୁହାକୁ ତୁହା ପ୍ରାକୃତିକ ବିପଦ । ବର୍ଷକୁ ସାମ୍ନା କରିବାକୁ ପଡିପାରେ ୫୦୦ରୁ ୬୦୦ ଶହ ପ୍ରାକୃତିକ ବିପର୍ଯ୍ୟୟ । ଏପରି ସତର୍କ ବାଣୀ ଶୁଣାଇଛି ଜାତିସଂଘ । ଜଳବାୟୁ ପରିବର୍ତ୍ତନ ସମ୍ପ୍ରତି ମାନବସମାଜ ପାଇଁ ସବୁଠୁ ଖରାପ ପରିସ୍ଥିତି ସୃଷ୍ଟି କରିଛି । ଏହାର ପ୍ରଭାବରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ବଢିଚାଲିଥିବାବେଳେ ଆଗକୁ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଜାରୀ କରାଯାଇଛି । ଆଗାମୀ ଦିନରେ ସାରା ବିଶ୍ୱ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବର୍ଷକୁ ୫୬୦ ଥର ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ କଠିନ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ । ୨୦୩୦ ସୁଦ୍ଧା ପୁରା ବିଶ୍ୱ ବର୍ଷକୁ ୫୬୦ଟି ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ ବୋଲି ମିଳିତ ଜାତିସଂଘର ‘ଅଫିସ୍ ଫର୍ ଦି ଡିିଜାଷ୍ଟର ରିସ୍କ ରିଡକ୍ସନ୍’(ୟୁଏନଡିଆରଆର) ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଚେତାବନୀ ଦିଆଯାଇଛି । ଆଗକୁ ବିଶ୍ୱ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହେବ । ପ୍ରକୃତିର ତାଣ୍ଡବ ଯୋଗୁଁ କେଉଁଠି ନିଆଁ ଲାଗିବ ତ କେଉଁଠି ବନ୍ୟା, ବାତ୍ୟା ଭଳି ଜଟିଳ ସ୍ଥିତି ଦେଖାଦେବ । ଏହାବ୍ୟତୀତ ମହାମାରୀ ଓ ରାସାୟନିକ ଦୁର୍ଘଟଣା ଭଳି ବିପଜ୍ଜନକ ବିପଦର ସମ୍କୁଖୀନ ହେବ ବିଶ୍ୱ । ବର୍ଷକୁ ୫୬୦ଟି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡିବ । ଅର୍ଥାତ୍ ଦିନକୁ ଏକାଧିକ ବିପର୍ଯ୍ୟୟକୁ ସାମନା କରିବାକୁ ପଡିବ ।
ବିପର୍ଯ୍ୟୟ ଯୋଗୁଁ ଲକ୍ଷ ଲକ୍ଷ ଜୀବନ ବିପଦରେ ପଡିପାରେ । ବର୍ତ୍ତମାନ ଯେଉଁ ଗତିରେ ଜଙ୍ଗଲ କଟା ସାଙ୍ଗକୁ ପ୍ରଦୂଷଣ ବଢିଚାଲିଛି ଯଦି ତାହା ଜାରି ରୁହେ ତେବେ ଖୁବ୍ ଶୀଘ୍ର ମଣିଷ ଏହାର ପରିଣାମ ଭୋଗିବ ଏଥିରେ ସନ୍ଦେହ ନାହିଁ ବୋଲି ୟୁଏନଡିଆରଆର ମୁଖ୍ୟ ମାମି ମିଜତୋରୀ କହିଛନ୍ତି । ଏଣୁ ଆମେ ଯଦି ପରିସ୍ଥିତିକୁ ସନ୍ତୁଳିତ ରଖିବାରେ ସକ୍ଷମ ନହୁଏ ତେବେ ଆଗକୁ ଯେଉଁଭଳି କ୍ଷତି ହେବ ତା’ର ଭରଣା କରିବା ଆମ ପକ୍ଷେ ଆଉ ସମ୍ଭବ ହେବନାହିଁ ବୋଲି ମିଜତୋରି ଚେତାଇ ଦେଇଛନ୍ତି ।

୧୯୯୦ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସରା ବିଶ୍ୱରେ ବାର୍ଷିକ ୭୦ ବିଲିୟନ୍ ଡଲାରର କ୍ଷୟକ୍ଷତି ହୋଇଥିଲା । ଯାହା ଏବେ ୧୭୦ କୋଟିରେ ପହଞ୍ଚିଲାଣି । ଯଦି ବିଶ୍ୱ ସମାଜ ଏବେଠାରୁ ଉପାୟ ଚିନ୍ତା ନକରେ ଏବଂ ସମ୍ଭାବ୍ୟ ବିପର୍ଯ୍ୟୟ ଲାଗି ଆଗରୁ ପ୍ରସ୍ତୁତ ନହୁଏ ତେବେ ଆପଦକୁ ବିପଦରେ ବଦଳିବାକୁ ସମୟ ଲାଗିବନି ବୋଲି ମିଜତୋରୀ ଚେତାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe