ଅନାବଶ୍ୟକ ଭାବେ ଅକ୍ତିଆର ହେଉଛି କି ଆଇସିୟୁ ବେଡ୍ ? ଭିଆଇପିଙ୍କ ଉପରେ ସରକାରଙ୍କ ନଜର । ଗଠନ ହେଲା ସ୍ୱତନ୍ତ୍ର କମିଟି, ଟ୍ୱିଟ୍ ସିଟି ପାଇଁ ୪ଟି ଟିମରେ ୮ ବରିଷ୍ଠ ଡାକ୍ତରଙ୍କୁ ଦାୟିତ୍ୱ

127

କନକ ବ୍ୟୁରୋ: ଯେତେବେଳେ ସାରା ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢିଚାଲିଛି, ଆଉ ହସ୍ପିଟାଲରେ ଆଇସିୟୁ ବେଡ୍ ପାଇଁ ଅନେକ କସରତ କରିବାକୁ ପଡୁଛି, ଠିକ ସେତିକି ବେଳେ ରାଜ୍ୟ ସରକାର ଦୁଇଟି ବଡ ପଦକ୍ଷେପ ନେଇଛନ୍ତି । ଚାରୋଟି ବିଶେଷଜ୍ଞ ଟିମ୍ ହସ୍ପିଟାଲର ଆଇସିୟୁ ଗୁଡିକୁ ବୁଲି ଅନୁଧ୍ୟାନ କରିବା ସହ ଦେଖିବେ, ଅନାବଶ୍ୟକ ଭାବେ କୈାଣସି ପ୍ରଭାବଶାଳୀ ରୋଗୀ ଆଇସିୟୁ ବେଡକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି କି? ଅର୍ଥାତ୍ ଆବଶ୍ୟକତା ନଥାଇ ମଧ୍ୟ ନିଜ ପ୍ରଭାବ ବଳରେ ଆଇସିୟୁରେ ଥିବା ଏଭଳି ରୋଗୀଙ୍କୁ ଠାବ କରି ସେମାନଙ୍କୁ ସାଧାରଣ ୱାର୍ଡକୁ ପଠାଇବାକୁ ପଦକ୍ଷେପ ନେବ ଏହି କମିଟି । ଏଥିସହ ୭ ଦିନ ମଧ୍ୟରେ ରାଜ୍ୟରେ ଆଉ ୪୦୦ ଆଇସିୟୁ ବେଡ ବଢାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ସୁଚନା ଅନୁସାରେ, ଟ୍ୱିନସିଟିର କିଛି ହସ୍ପିଟାଲରେ ରୋଗୀ ଯେଉଁମାନେ ସାଧାରଣ ୱାର୍ଡରେ ରହି ଚିକିତ୍ସିତ ହେବା କଥା, ସେମାନେ ଅଯଥାରେ ଆଇସିୟୁରେ ରହୁଛନ୍ତି । ଫଳରେ ଆଇସିୟୁ ନିହାତି ଆବଶ୍ୟକ କରୁଥିବା ରୋଗୀଙ୍କୁ ଏହା ଉପଲବ୍ଧ ହୋଇପାରୁନାହିଁ, ଯାହା ଚିନ୍ତାର ବିଷୟ ।

ଯେଉଁ ଚାରୋଟି କମିଟି ରାଜ୍ୟ ସରକାର ଗଠନ କରିଛନ୍ତି, ସେମାନେ ଭୁବନେଶ୍ୱର-କଟକର ହସ୍ପିଟାଲ ଗୁଡିକର ଅନୁଧ୍ୟାନ କରିବାକୁ ଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମେଡିକାଲ କଲେଜ ଗୁଡିକର ଅଧିକାରୀ ଏହା ଉପରେ ସତର୍କ ଦୃଷ୍ଟି ରଖିବେ । ଗୁରୁତର ନଥିବା ରୋଗୀଙ୍କୁ ଆଇସିୟୁରେ ରଖି, ଅଯଥାରେ ଆଇସିୟୁକୁ ଭାରାକ୍ରାନ୍ତ ନକରିବା ଉପରେ ଜୋର ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଖୁବଶୀଘ୍ର ରାଜ୍ୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୪୩୮ ଶଯ୍ୟା ପ୍ରସ୍ତୁତ ହେଉଛି । ଏଥିରେ ୩୬୮ ଆଇସିୟୁ ବେଡ ଥିବା ବେଳେ ୭୦ଟି ଏଚଡିୟୁ ବେଡ ରହିଛି । ଏହା ଫଳରେ ରାଜ୍ୟର ମୋଟ ଆଇସିୟୁ ବେଡ ସଂଖ୍ୟା ୩୪୭୨ରେ ପହଁଚିବ ।

ରାଜ୍ୟରେ ସକ୍ରିୟ କେସ୍ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଚିନ୍ତାର ବିଷୟ ହେଉଛି, ପଶ୍ଚିମ ଓଡିଶାରେ ସମସ୍ତ ଆଇସିୟୁ ବେଡରେ ରୋଗୀ ଥିବା ବେଳେ ରାଜ୍ୟରେ ୭୯% ପ୍ରତିଶତ ଆଇସିୟୁ ପୁର୍ଣ୍ଣ ରହିଛି । ତଥ୍ୟ କହୁଛି, ଆଇସିୟୁ ବେଡ ଉପରେ ଲଗାତର ଭାବେ ଚାପ ବଢିବାରେ ଲାଗିଛି ।

ସେହିଭଳି ବେସରକାରୀ ହସ୍ପିଟାଲ ଗୁଡିକରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ନିଆଯାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସନସାଇନ ହସ୍ପିଟାଲରେ ଚଢାଉ କରି କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ରାଜ୍ୟ ସରକାର ଯେଉଁ ଦର ନିର୍ଦ୍ଧାରଣ କରିଛନ୍ତି, ସେଥିରେ ଯେମିତି ବ୍ୟତିକ୍ରମ ନହୁଏ ସେନେଇ ପ୍ରଶାସନ ଚେତାଇ ଦେଇଛି ।