ଭାରତରେ ଅସ୍ୱାଭାବିକ ମୃତ୍ୟୁ ବୃଦ୍ଧି ପାଇବାର କାରଣ କ’ଣ ? ଗବେଷଣା ଦ୍ୱାରା ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

65

ସାରା ବିଶ୍ୱରେ ଅନେକ ସମୟରେ ମାରାତ୍ମକ ରୋଗର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଆଉ ଆମେ ସମସ୍ତେ ଭାବିଥାନ୍ତି ମୃତ୍ୟୁର କାରଣ ଏହି ମାରାତ୍ମକ ରୋଗ । ତେବେ ଆପଣଙ୍କ ଅନୁମାନ ଭୂଲ । ଆପଣ ପ୍ରକୃତ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତରେ ମାରାତ୍ମକ ରୋଗରେ ମୃତ୍ୟୁବରଣ ଲୋକଙ୍କ ଅପେକ୍ଷା ସାଧାରଣ ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବେଶୀ ।

ଆମ ଦେଶରେ ୬୧ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାଧାରଣ ରୋଗରୁ ହୋଇଥାଏ । ଆଉ ଏହାର ପ୍ରମୁଖ କାରଣ ହେଉଛି ପ୍ରଦୂଷଣ । ବାୟୁମଣ୍ଡଳ ଦୂଷିତ ଏହାର ଏକ ମୁଖ୍ୟ କାରଣ । ପ୍ରଦୂଷଣର ପ୍ରଭାବ ଅନେକ ସ୍ତରରେ ହୋଇଥାଏ । ଯାହା ବିଷୟରେ ଏବେ ଶୁଣିବାକୁ ମିଳୁଛି । ସେଂଟର ଫର ସାଇନସ୍ ଆଣ୍ଡ ଏନଭରନମେଂଟ (ସିଏସଇ)ର ସ୍ୱାସ୍ଥ୍ୟ ରିପୋର୍ଟ ‘ବଡି ବର୍ଡନ’ରେ ଏହି ତଥ୍ୟ ପ୍ରକାଶ ପାଇଛି । ସିଏସଇର ମହାନିର୍ଦ୍ଦେଶକା ସୁନୀତା ନାରାୟଣ କହିଛନ୍ତି ଯେ ଯଦି ଏମିତି ଅବସ୍ଥା ରହେ ତେବେ ୨୦୨୦ ଭିତରେ ବର୍ଷକରେ ୧୭.୩୦ ଲକ୍ଷରୁ ଅଧିକ କ୍ୟାନସର ରୋଗରେ ମାମଲା ସାମ୍ନାକୁ ଆସିବ ।

ସୁନୀତା ନାରାୟଣଙ୍କ ମତରେ ଦେଶରେ ମୃତ୍ୟୁର ସବୁଠାରୁ ବଡ କାରଣ ହେଉଛି ସାଧାରଣ ରୋଗ । ଏହା ସହିତ ପ୍ରଦୂଷଣ ମଧ୍ୟ ଏହାର ମୁଖ୍ୟ କାରଣ । ପ୍ରଦୂଷଣ କାରଣରୁ ଅନେକ ରୋଗ ଜନ୍ମ ନେଇଥାଏ । ସେ ଏହା ମଧ୍ୟ କହିଥିଲେ କୀଟନାଶକରୁ କ୍ୟାନସର ପରି ରୋଗ ହୋଇଥାଏ ମାତ୍ର ଏବେ ଏହା ଜଣା ପଡିଛି ଯେ ମଧୁମେହ ରୋଗର ମଧ୍ୟ ଏଥିରେ ମୁଖ୍ୟ ଭୂମିକା ରହିଛି । ଭାରତରେ ପ୍ରତି ୧୨ ଜଣରେ ଜଣେ ମଧୁମେହ ରୋଗରେ ପୀଡିତ । ସେହିପରି ବାୟୁ ପ୍ରଦୁଷଣର ମଧ୍ୟ ମାନସିକ ସ୍ୱାସ୍ଥ୍ୟ ସହିତ ସଂପର୍କ ରହିଛି । ୩୦ ପ୍ରତିଶତ ଅସ୍ୱାଭାବିକ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ହୋଇଥାଏ ।

ସିଏସଇ ରିପୋର୍ଟରୁ ଜଣା ପଡିଛି ଯେ ସାଧାରଣ ରୋଗ ଓ ବାୟୁ ପ୍ରଦୂଷଣ କାରଣରୁ ସବୁଠାରୁ ୭ଟି ବଡ ରୋଗ ହୋଇଥାଏ । ଦେଶରେ ପ୍ରତିବର୍ଷ ୨୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ । ଏଥିମଧ୍ୟରୁ ୫୨ ପ୍ରତିଶତ ଲୋକଙ୍କ ବୟସ ୭୦ ବର୍ଷରୁ କମ୍ । ସେହିପରି ରାଜଧାନୀ ଦିଲ୍ଲୀରେ ପ୍ରତି ୩ ଜଣଙ୍କରେ ଜଣେ ଫୁସଫୁସ ସମସ୍ୟାରେ ପୀଡିତ । ୨୦୧୬ ଭିତରେ ୩.୫୦ କୋଟି ଲୋକ ଆଜମାରେ ପୀଡିତ ଥିବା ଜଣାପଡିଛି । ଅଧ୍ୟୟନରୁ ଜଣା ପଡିଛି ଯେ ହୃହରୋଗର ବାୟୁ ପ୍ରଦୂଷଣ ସହିତ ଜଟିଳ ସମ୍ପର୍କ ରହିଛି ।

ରିପୋର୍ଟ ପ୍ରସ୍ତୁତ କରିଥିବା ବିଭା ବରଷାଣ୍ୟ କହିଛନ୍ତି ଯେ ଯଦି ୨୦୩୦ ପର୍ଯ୍ୟନ୍ତ ବିକାଶ ଓ ଅସାମୟିକ ମୃତ୍ୟୁକୁୁ କମ କରିବାର ଲକ୍ଷ୍ୟ ରଖାଯାଏ ତେବେ ପ୍ରଥମେ ବାୟୁ ମଣ୍ଡଳ ଓ ପରିବେଶ ରକ୍ଷା ଉପରେ ଧ୍ୟାନ ଦେବା ଦରକାର । ଏହି ଲକ୍ଷ୍ୟକୁ ହାସିଲ କରିବା ପାଇଁ ୨୦୩୦ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । ଏହାସହିତ ପ୍ରଦୂଷଣଜନିତ ରୋଗ ଉପରେ ମଧ୍ୟ କେତେକ ସ୍ତରରେ ଅଧ୍ୟୟନ କରାଯାଉଛି । ଏହା ଫଳରେ ଏହି ରୋଗରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନିଆଯାଇପାରିବ ।