କନକ ବ୍ୟୁରୋ: ଉନ୍ନାଓ ପୀଡିତାଙ୍କ କାର ଦୁର୍ଘଟଣା ମାମଲାରେ ସିବିଆଇକୁ ମିଳିଥିବା ସୁରାକ୍ ହତ୍ୟା ଷଡଯନ୍ତ୍ର ଆଡକୁ ଇସାରା କରୁଛି । ଗତ ରବିବାର ଉନ୍ନାଓ ଦୁଷ୍କର୍ମ ପୀଡିତା ଜେଲରେ ତାଙ୍କ ଦାଦାଙ୍କୁ ଭେଟିବାକୁ ଯାଉଥିବାବେଳେ ରାଏବରେଲିରେ ଧକ୍କା ଦେଇଥିଲା ଏକ ଟ୍ରକ୍ । ଏହି ଟ୍ରକର ନମ୍ବର ପ୍ଲେଟରେ କଳା ବୋଳା ଯାଇଥିଲା । ହେଲେ ମାମଲାର ଛାନଭିନ କରୁଥିବା ସିବିଆଇ ଟିମକୁ ଏକ ବଡ ସୁରାଗ ମିଳିଛି । ସିସିଟିଭି ଫୁଟେଜରୁ ଜଣାପଡିଛି ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୨୦ କିଲୋମିଟର ପୂର୍ବରୁ ଟ୍ରକର ନମ୍ବର ପ୍ଲେଟରେ କଳା ବୋଳା ଯାଇନଥିଲା ।

Advertisment

publive-image

ରବିବାର ଦୁର୍ଘଟଣା ଘଟିଥିଲା ଦିନ ୧୨ଟା ୪୦ ମିନିଟରେ । କିନ୍ତୁ ସକାଳ ପ୍ରାୟ ୫ଟା ୨୦ ମିନିଟରେ ଟ୍ରକଟି ଏକ ଟୋଲ ପ୍ଲାଜା ଦେଇ ଗଲାବେଳେ ଏହାର ନମ୍ବର ପ୍ଲେଟରେ କଳା ବୋଲାଯାଇ ନଥିବା ଦେଖିବାକୁ ମିଳିଛି । ଟୋଲପ୍ଲାଜାରେ ଲାଗିଥିବା ସିସିଟିଭି ଫୁଟେଜରୁ ସିବିଆଇକୁ ଏହି ତଥ୍ୟ ମିଳିଛି । ସିସିଟିଭି ଫୁଟେଜରେ ଟ୍ରକର ନମ୍ବର ପ୍ଲେଟ୍ ସ୍ପଷ୍ଟ ଭାବେ ଦେଖାଯାଉଛି । କିନ୍ତୁ ଦୁର୍ଘଟଣା ସ୍ଥଳରେ ଟ୍ରକର ନମ୍ବର ପ୍ଲେଟରେ କଳା ବୋଳାଯାଇଥିବା ଦେଖିବାକୁ ମିଳିଥିଲା ।

publive-image

ଏ ବାବଦରେ ଟ୍ରକର ମାଲିକ କହିଥିଲେ ଯେ, ଟ୍ରକଟି ଫାଇନାନ୍ସରେ ଆଣି ଶୁଝି ପାରିନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ରକ୍ଷା ପାଇବା ପାଇଁ ସେ ଏଭଳି କରିଥିଲେ । ପୋଲିସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଥିଲା । ହେଲେ ସିବିଆଇକୁ ମିଳିଥିବା ସୁରାଗ, ଏହା ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର ବୋଲି ଇସାରା କରୁଛି । ଦୁର୍ଘଟଣାର ଠିକ ପୂର୍ବରୁ ନମ୍ବର ପ୍ଲେଟରେ କଳା ବୋଳି ଦିଆଯାଇଛି ।