ଉତ୍ତରପ୍ରଦେଶ ଉନାଓ ଘଟଣାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ : ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ

61

କନକ ବ୍ୟୁରୋ : ଉନ୍ନାଉ ନାବାଳିକା ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂଗ ସେଙ୍ଗରକୁ ସିବିଆଇ ଗିରଫ କରିଛି । ସେଙ୍ଗରଙ୍କୁ ସିବିଆଇ ଆଜି ସକାଳେ ଲଖନଉ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି । ସିବିଆଇ ସେଂଗରଙ୍କୁ ପଚରାଉଚରା କରୁଛି । ମାମଲାର ସିବିଆଇ ତଦନ୍ତ ପାଇଁ ଗତକାଲି କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଗତବର୍ଷ ୟୁପିର ଉନ୍ନାଉ ଜିଲ୍ଲାରେ ୧୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ପ୍ରାୟ ୧୦ ମାସ ତଳେ ୨୦୧୭ ଜୁନ ୪ ତାରିଖରେ ଏହି ଯୁବତୀ ଚାକିରି ପାଇଁ ବିଧାୟକଙ୍କ ଘରକୁ ଯାଇଥିଲେ । ଲୋକପ୍ରତିନିଧି ବନିଥିବା ବିଜେପିର ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର୍ ଓ ତାଙ୍କ ଭାଇ ଅତୁଲ ସିଂ ସେଙ୍ଗର ଅତି ଅମାନବୀୟ ଭାବେ ତାଙ୍କ ଅସହାୟତାର ସୁଯୋଗ ନେଇ ଘର ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ବିଜେପି ବିଧାୟକ ସେଂଗର ଏହି ବଳାକ୍ରାର ଘଟଣାର ମୁଖ୍ୟ ଅଭିଯୁକ୍ତ । ପୀଡ଼ିତା ଜଣକ ଆତ୍ମାହୁତି ଉଦ୍ୟମ କରିବା ପରେ ଘଟଣାଟି ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲା । ସେପଟେ ପୀଡ଼ିତାଙ୍କ ବାପାଙ୍କର ହାଜତରେ ମୃତ୍୍ୟୁ ଘଟିଥିଲା । ଏହି ଘଟଣା ନେଇ ଯୋଗୀ ସରକାରଙ୍କୁ କଠୋର ଭାଷାରେ ଭତ୍ସନା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ପରେ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଗତକାଲି ଅନୁମତି ଦେଇଥିଲା ।