ଜାମିନ ମିଳିବା ମାତ୍ରେ ଉନ୍ନାଓ ପୀଡିତାଙ୍କୁ ଜିଅନ୍ତା ଜାଳିଲେ ଅଭିଯୁକ୍ତ , ଜଳୁଥିବା ଅବସ୍ଥାରେ ଏକ କିଲୋମିଟର ଦୌଡି ୧୦୦ କୁ ଡାଏଲ୍ କରି ସାହାଯ୍ୟ ମାଗିଥିଲେ ପୀଡିତା , ପଢନ୍ତୁ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ସଂପୂର୍ଣ୍ଣ ଖବର ।

1,012

ପୁଣି ଥରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର ଉନ୍ନାଓ ଘଟଣା । ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ମନରୁ ଲିଭି ନାହିଁ କିନ୍ତୁ ଏଭଳି ଆଉ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଉନ୍ନାଓ ଜିଲ୍ଲାରେ କୋର୍ଟକୁ ଶୁଣାଣି ପାଇଁ ଆସୁଥିବା ରାସ୍ତାରେ ଗଣଦୁଷ୍କର୍ମ ପୀଡିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତ । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜାମିନରେ ଆସି ଘଟାଇଛନ୍ତି ଏଭଳି ଜଘନ୍ୟକାଣ୍ଡ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ପୀଡିତାଙ୍କ ଶରୀରର ୯୦ ଭାଗ ଜଳିଯାଇଥିବା କଥା ଡାକ୍ତର କହିଛନ୍ତି । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ପଠାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଘଟଣା ପରେ ପୀଡିତା ଜଣଙ୍କ ପ୍ରାୟ ଏକ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ ଏବଂ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ । ଏହା ସହ ପୀଡିତା ନିଜେ ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ । ଆଉ ପୀଡିତାଙ୍କ ଫୋନ କଲ ପାଇବା ପରେ ଆମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା । 

ସୂଚନାନୁସାରେ, ଡିସେମ୍ବର ୧୨ , ୨୦୧୮ ରେ ଅଭିଯୁକ୍ତ ଶିବମ ତ୍ରିବେଦୀଙ୍କ ପୁଅ ଶୁଭମ ତ୍ରିବେଦୀ ସାମୁହିକ ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଚଳିତବର୍ଷ ମାର୍ଚ୍ଚ ମାସରେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା ହେଁ ନ୍ୟାୟ ପାଇବା ଆଶାରେ ଦେଢମାସ ଯାଏଁ ରାୟବରେଲୀର ଲାଲଙ୍ଗଜ ଉନ୍ନାଓ ଥାନାର ଚକ୍କର ଲଗାଉଥିଲେ ପୀଡିତା ଏବଂ ତାଙ୍କ ପରିବାର । ଦେଢ ମାସ ପର୍ଯ୍ୟନ୍ତ ପୀଡିତାଙ୍କୁ କୌଣସି ନ୍ୟାୟ ମିଳିପାରି ନଥିଲା । ପୀଡିତାଙ୍କ ବାପାଙ୍କ କହିବା ମୁତାବକ, ଗ୍ରାମର ମୁଖୀଆଙ୍କ ପ୍ରଭାବ ପକାଇବା ଫଳରେ ପୋଲିସ କୌଣସି ରିପୋର୍ଟ ଗ୍ରହଣ କରି ନଥିଲା । ପାଖାପାଖି ଦେଢ ମାସ ପରେ କୋର୍ଟ ଓ ମହିଳା ଆୟୋଗଙ୍କ ଦବାବରେ ପୋଲିସ ରିପୋର୍ଟ ଦାଖଲ କରିଥିଲା, କିନ୍ତୁ ଅଭିଯୁକ୍ତଙ୍କୁ ଜେଲ ପଠେଇନଥିଲା ।

ପୀଡିତାଙ୍କ ବୟାନ ଅନୁସାରେ ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଫେରାର ଅଛନ୍ତି । ଗିରଫ ଆଇନର ଖାମଖିଆଲ ନୀତି ପାଇଁ ପୀଡିତା ଜଣଙ୍କ ଆଜି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସାରା ଦେଶ ପୀଡିତାଙ୍କ ପାଇଁ ନ୍ୟାୟ ମାଗୁଥିବା ବେଳେ ଅପରାଧୀ ଖୋଲାଖୋଲି ଭାବରେ ଅପରାଧ କରିଚାଲିଛନ୍ତି । ପୀଡିତା ପୋଲିସରେ ଅଭିଯୋଗ କରିଥିବାରୁ ତାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ଏଭଳି କରିଥିବା କଥା ସୂଚନା ମିଳୁଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସଂଧ୍ୟା ସୁଦ୍ଧା ଅଧିକାରୀମାନଙ୍କୁ ରିପୋର୍ଟ ମାଗିଛନ୍ତି । ଏଥି ସହିତ ପୀଡିତାଙ୍କ ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।