ସିନେମା ହଲ୍ ପାଇଁ ଏସଓପି ଜାରି : କୋଭିଡ୍ ଗାଇଡଲାଇନ ସହ ଖୋଲିବ ସିନେମା ହଲ୍; କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ସୂଚନା

135

କନକ ବ୍ୟୁରୋ : ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ସମସ୍ତ ସିନେମା ହଲ୍, ଥିଏଟର ଓ ମଲଟିପ୍ଲେକ୍ସରେ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଗାଇଡଲାଇନ ପାଳନ ନକନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ ବୋଲି ଗତ ୩୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା ହୋଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି :

୧. ସବୁ ସିନେମା ହଲ୍ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ ।
୨. ପ୍ରତି ସିଟର ପାଖ ଦୁଇଟି ସିଟ୍ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ ।
୩. ସିନେମା ହଲ ଭିତରେ ଫେସ୍ କଭର / ମାସ୍କର ବ୍ୟବହାର ବାଧ୍ୟତାମୂଳକ ।
୪. ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର୍ ବ୍ୟବସ୍ଥା ରହିବ ।
୫. ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ।
୬. ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ ।
୭. ହଲ୍ ଭିତରକୁ ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ।
୮. ହଲ ଭିତରେ କେବଳ ପ୍ୟାକେଟ ଖାଦ୍ୟ ମିଳିପାରିବ ।